ବିସିସିଆଇର ସମ୍ପତ୍ତି ୧୪,୪୮୯ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ବୋର୍ଡ ଭାବେ ପରିଚିତ ବିସିସିଆଇର ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ବିସିସିଆଇ ସମୁଦାୟ ୧୪ ହଜାର ୪୮୯ କୋଟି ଟଙ୍କାର ମାଲିକ ଥିବା ଜଣାପଡ଼ିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ତୁଳନାରେ ବିସିସିଆଇ ସମ୍ପତ୍ତିରେ ୨୫୯୭.୧୯ କୋଟି ଟଙ୍କା ବୃଦ୍ଧି ଘଟିଛି। ୨୦୧୮ରେ ବିସିସିଆଇର ସମୁଦାୟ ଆୟ ୪୦୧୭.୧୧ କୋଟି ହୋଇଥିବା ବେଳେ ପ୍ରାୟ ଅର୍ଦ୍ଧାଧିକ ଆୟ ଆଇପିଏଲରୁ ଆସିପାରିଥିଲା।

୨୦୧୮ ଆଇପିଏଲରୁ ବିସିସିଆଇ ସମୁଦାୟ ୨୪୦୭.୪୬ କୋଟି ଟଙ୍କା ଆୟ କରିଥିଲା। ବିସିସିଆଇ ବିରୋଧରେ ଏକାଧିକ ଅର୍ଥନୈତିକ ମାମଲା ରହିଛି। ଆୟକର ବିଭାଗ ସହ କୋଚି ଟସ୍କର୍ସ, ଡେକାନ ଚାର୍ଜର୍ସ, ସାହାରା, ନିଓ ସ୍ପୋର୍ଟ୍ସ ଏବଂ ୱାର୍ଲ୍ଡ ସ୍ପୋର୍ଟ୍ସ ଗ୍ରୁପ ବିରୋଧରେ ବିସିସିଆଇର ଆଇନଗତ ଲଢ଼େଇ ଜାରି ରହିଛି। ସେହିପରି ଗତ ୨୦୧୮-୧୯ ବର୍ଷରେ ମିଡିଆ ରାଇଟ୍ସ ବାବଦରେ ବିସିସିଆଇ ୮୨୮ କୋଟି ଆୟ କରିଥିଲା। ତେବେ ଚଳିତ ବର୍ଷର ଆୟ ତାଲିକା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିିଁ।