ଅପରାଧୀକ ଘଟଣାର ରାଜନୀତିକରଣ କରୁଛି ବିଜେପି : ବିଜେଡି

ଭୁବନେଶ୍ୱର, ଏନ୍ଏନଏସ୍: ଭାରତୀୟ ଜନତା ପାର୍ଟି ଅପରାଧ ଘଟଣାକୁ ରାଜନୀତିକରଣ କରୁଛି। ଏହା ତାଙ୍କର ଅଭ୍ୟାସରେ ପରିଣତ ହେଲାଣି। ସେମାନେ ଏସବୁ ଘଟଣାରେ ଦୋହରା ମାପଦଣ୍ଡ ଆପଣାଉଛନ୍ତି। ଇତିଶ୍ରୀ ଘଟଣାରେ ଯାହାକୁ ଅପରାଧୀ ବୋଲି କହୁଥିଲେ ପରେ ତାଙ୍କୁ ଦଳରେ ମିଶାଇଲେ ଏବଂ ଟିକେଟ ମଧ୍ୟ ଦେଲେ। ଏପରିକି ପରୀ ଘଟଣାରେ ବିଜେପି ଯାହା ସବୁ କହୁଛି ତାହା ହାସ୍ୟାସ୍ପଦ କଥା। ଲୋକେ ତାଙ୍କ କଥାକୁ ଗ୍ରହଣ କରୁନାହାନ୍ତି।

ଏସ୍ଆଇଟି କେଉଁ ଆଧାରରେ ତଦନ୍ତ କରିବ ତାହା କ’ଣ ବିଜେପି ନିଷ୍ପତ୍ତି ନେବ ? ଏଇଭଳି କଥା କହି ସେମାନେ ଖାଲି ଲୋକହସା ହେଉନାହାନ୍ତି ବରଂ ନିର୍ବାଚନରେ ମଧ୍ୟ ସେହିଭଳି ଫଳ ପାଉଛନ୍ତି। ବିଜେପି ଯଦି ଲୋକଙ୍କ ସହ ଅଛି, ତେବେ ଲୋକେ କାହିଁକି ସେମାନଙ୍କୁ ପ୍ରତ୍ୟାଖାନ କରୁଛନ୍ତି ? ସମାନ ଭାବେ ମାହାଙ୍ଗା ଘଟଣାକୁ ବିଜେପି ରାଜନୈତିକ ହତ୍ୟାର ରୂପଦେଉଛି। ଯଦିଓ ଏନ୍ସିଆରବି ରିପୋର୍ଟ କହୁଛି ଓଡ଼ିଶାରେ ଏଭଳି ଘଟଣା କ୍ୱଚିତ୍ ଦେଖିବାକୁ ମିଳେ। ଅପରାଧ ପ୍ରତି ନବୀନ ସରକାରଙ୍କର ଜିରୋ ଟଲେରାନ୍ସ ରହିଛି। ଦୋଷୀ ଯେ କେହି ବି ହେଉ ନା କାହିଁକି ତାକୁ ଧରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ବିଜେପି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା ନକରି ଏସବୁରୁ ନିବୃତ ରହୁ ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି।