ଖୋର୍ଦ୍ଧା,ଏନ୍ଏନ୍ଏସ୍: ଅନଲାଇନ ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ ତାଙ୍କୁ ଗିରଫ କରିଛି। ଠକେଇ ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ବୋଲଗଡ଼ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ।
ସୂଚନା ଅନୁଯାୟୀ, ବ୍ରଜବନ୍ଧୁଙ୍କୁ ଗତ ୨୦୧୯ ଅଗଷ୍ଟ ମାସରେ ଟ୍ରେଡ ୟୁନାଇଟେଡ ଲିମିଟେଡ଼ ନାମକ ଏକ ବିଦେଶୀ ଓ୍ଵେବସାଇଟ କାଠ ଯୋଗାଇଦେବାର ସୂଚନା ଦେଇଥିଲା। ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇଥିଲେ ଏବଂ ସେହି ସଂସ୍ଥାରୁ କାଠ କିଣିବା ପାଇଁ ୧୬ ଲକ୍ଷ ୩୨ ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ। ଏହି ଟଙ୍କା ସେ ବ୍ୟାଙ୍କରୁ ଋଣ ଆଣି ପଠାଇଥିଲେ। ଚୁକ୍ତି ଅନୁସାରେ ୩୦ ଅଗଷ୍ଟ,୨୦୧୯ ତାରିଖରେ କାଠ ଜାହାଜ ଲାଗିବ ବୋଲି ସୂଚନା ଦିଆଯାଇଥିଲା। ବ୍ରଜବନ୍ଧୁଙ୍କୁ ମାତ୍ର ପରବର୍ତ୍ତୀ ସମୟରେ କୌଣସି କାଠ ଆସିନଥିଲା। ୟୁନାଇଟେଡ ଲିମିଟେଡ଼ ବିଦେଶୀ ସଂସ୍ଥା ତାଙ୍କ ଠାରୁ ଟଙ୍କା ଠକିନେଇଥିବା ବ୍ରଜବନ୍ଧୁ ନିଜେ ଜାଣିବାକୁ ପାଇଥିଲେ।
ପରେ ଏ ନେଇ ବ୍ରଜବନ୍ଧୁ ବୋଲଗଡ ଥାନା ମୂଖ୍ୟ ଦପ୍ତର, ସାଇବର ଥାନା ଓ ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତାଙ୍କୁ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ। ଆଜି ସେ ନିଜେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଯାଉଥିବା ବେଳେ ଖୋର୍ଦ୍ଧା ପୁଲିସ ତାଙ୍କୁ ଉଠାଇ ନେଇଛି।