ଚାଷୀ ଆନ୍ଦୋଳନ: ପେଟ୍ରୋଲ ପମ୍ପ ଓ ସପିଂ ମଲ୍ ବନ୍ଦ କରିଦେବୁ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ସରକାର ଚାଷୀଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ ଏହା ବିଳଫ ହେଉଛି। ଏବେ ସରକାରଙ୍କୁ କୃଷକମାନ କଡା ଚେତାବନୀ ଦେଇଛନ୍ତି। ଆସନ୍ତା ୪ ତାରିଖରେ ଯଦି ସରକାରଙ୍କ ସହ ଆଲୋଚନା ସଫଳ ନହୁଏ ତେବେ ହରିଆଣାର ସମସ୍ତ ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ କରିବାକୁ ସେମାନେ ଧମକ ଦେଇଛନ୍ତି।

ଏଥିସହ ଜାନୁଆରୀ ୬ ତାରିଖରେ ସରକାରଙ୍କ ବିରୋଧରେ ଟ୍ରାକ୍ଟର ରାଲି ବାହାର କରାଯିବ। କେବଳ ସେତିକି ନୁହଁ ବିଜେପି ବିରୋଧରେ ଦଳ ଛାଡ ଆନ୍ଦୋଳନ ଆରମ୍ଭ ହେବ ବୋଲି କୃଷକ ସଙ୍ଗଠନ ଚେତାବନୀ ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନରତ କୃଷକମାନେ କହିଛନ୍ତି ଯେ, ଏବେ ସୁଦ୍ଧ ସରକାର କେବଳ ୫ ପ୍ରତିଶତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏଯାଏଁ ମୁଖ୍ୟ ଦାବି ପୂରଣ ହୋଇନାହିଁ। କୃଷକ ନେତା ଯୁଦ୍ଧବୀର ସିଂ କହିଛନ୍ତି ଯେ, କେନ୍ଦ୍ର ସରକାର ଭାବୁଛନ୍ତି ଯେ କୃଷକ ଆନ୍ଦୋଳନ ସାହୀନ ବାଗ ଭଳି ଅଟକି ଯିବ। ଏହା ସରକାରଙ୍କ ଭୁଲ ଧାରଣା। ସରକାର ସେମାନଙ୍କୁ ହଟାଇପାରିବେ ନାହିଁ।