କଂଗ୍ରେସର ପ୍ରତିଷ୍ଠା ଦିବସ ସମାରୋହରେ ସୋନିଆ ଓ ରାହୁଲ ଅନୁପସ୍ଥିତ

ନୂଆଦିଲ୍ଲୀ, ଏଜେନ୍ସି: ସୋମବାର କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧି ଅନୁପସ୍ଥିତ ଥିଲେ। ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି ଦଳୀୟ ପତାକା ଉଡାଇଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠାଦିବସ ପାଳନର ଦିନକ ପୂର୍ବରୁ ଦଳର ପୂର୍ବତନ ସଭାପତି ରାହୁଲ ବିଦେଶଗସ୍ତରେ ଯାଇଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ରାହୁଲ ଅଳ୍ପଦିନ ପାଇଁ ବିଦେଶରେ ରହିବେ। ତେବେ ସେ କେଉଁଠାକୁ ଯାଇଛନ୍ତି ସେ ସମ୍ପର୍କରେ ଦଳପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ବିଶେଷସୂତ୍ରରୁ ଜଣାପଡିଛି ରାହୁଲ ଆଈ (ସୋନିଆଙ୍କ ମାଆ)ଙ୍କୁ ଦେଖିବା ପାଇଁ ଇଟାଲୀ ଗସ୍ତରେ ଯାଇଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ କାରଣରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇପାରିନାହାନ୍ତି।