ଦଳ ପାଇଁ ଦୈନିକ ୨ରୁ ୩ ଘଣ୍ଟା ସମୟ ଦିଅ-ପ୍ରଣବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ, ବଞ୍ଚିବା ପାଇଁ ସାଧାରଣ ଜୀବନ ଶୈଳୀ ଓ ଓଡ଼ିଶାକୁ ପ୍ରାଣଭରି ଭଲ ପାଇବା। ଏହି ତିନୋଟି କଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ତାହା ହିଁ ତାଙ୍କ ଜୀବନର ବ୍ରତ। ଯଦି ନବୀନ ବାବୁଙ୍କୁ ଆପଣମାନେ  ଭଲ ପାଉଛନ୍ତି ତାହାଲେ ଦଳ ପାଇଁ ଦୈନିକ ୨ରୁ ୩ ଘଣ୍ଟା ସମୟ ଦିଅନ୍ତୁ। ଫଳରେ ବିଜେଡି ଆହୁରି  ମଜଭୁତ ହୋଇପାରିବ। ୨୪ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ସମାବେଶରେ ଯୋଗଦେଇ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ କର୍ମୀଙ୍କୁ ଏହି ଆହ୍ୱାନ ଦେଇଥିଲେ।

ଶ୍ରୀ ଦାସ କହିଥିଲେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେତେ ସରଳ ଓ ନିରାଡ଼ମ୍ବର, ସେତେ ଉଦାର ଓ କଠୋର। ଓଡ଼ିଆ ଲୋକଙ୍କୁ ସେ ଖୁବ୍ ଭଲ ପାଉଛନ୍ତି। ସେ ଲୋକଙ୍କ ସହ ଅଛନ୍ତି। ସେ ସମାଜରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ବଜ୍ର ଶପଥ ନେଇଛନ୍ତି। ରାଜ୍ୟର ପ୍ରଗତିରେ ଏହି ଦୁର୍ନୀତି ବାଧକ ସାଜୁଥିବା କଥା ସେ ବୁଝିଥିବାରୁ ତାଙ୍କ ଶାସନର ପ୍ର।।ରମ୍ଭରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୁର୍ନୀତିକୁ ଦୃଢ଼ହସ୍ତରେ ଦମନ କରିଛନ୍ତି। ନିଜ ଜୀବନରେ ଯେପରି ଦୁର୍ନୀତିର ଛିଟା ନପଡ଼େ ସେଥିପାଇଁ ଶ୍ରୀ ପଟ୍ଟନାୟକ ସାଧାରଣ ଶୈଳୀରେ ଜୀଇଁବାକୁ ଅଧିକ ପସନ୍ଦ କରୁଛନ୍ତି।