ଜେଡିୟୁକୁ ଝଟକା: ବିଜେପିରେ ମିଶିଲେ ୬ ବିଧାୟକ

ଇଟାନଗର,ଏଜେନ୍ସି: ବିଜେପି ସହ ମିଶି ବିହାରରେ ସରକାର ଗଠନ କରିଥିବା ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକ ଆଜି ଦଳ ଛାଡ଼ି କ୍ଷମତାସୀନ ବିଜେପିରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୭ ଜଣ ବିଧାୟକ ଥିଲେ। ହେଲେ ଏବେ ୬ ଜଣ ବିଧାୟକ ପଦ୍ମ ଧରିଥିବା ଜଣାପଡ଼ିଛି।

ସେହିପରି ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାରଡୋ ନୟିଗୋୟର ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ଆଗକୁ ଅରୁଣାଚଳ ପ୍ରଦେଶରେ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ହେବ। ଏହାପୂର୍ବରୁ ରାଜ୍ୟରେ ବିଜେପି ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି।

ନଭେମ୍ବର ୨୬ରେ ଜେଡିୟୁ ପକ୍ଷରୁ ୩ ଜଣ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଓ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଦଳର ୭ ବିଧାୟକ ବରିଷ୍ଠ ନେତା ବିନା ଅନୁମତିରେ ତଲେମ ତବହୋଙ୍କୁ ବିଧାନସଭାରେ ଜେଡିୟୁ ନେତା ଭାବେ ନିର୍ବାଚିତ କରିଥିଲେ। ସେହିପରି ପିପିଏର ବିଧାୟକଙ୍କୁ ମଧ୍ୟ ଦଳ ନିଲମ୍ବିତ କରିଥିଲା।