ମାଲକାନଗିରି,ଏନ୍ଏନ୍ଏସ୍: ଦୀର୍ଘ ଦିନ ପରେ ମାଓବାଦୀଙ୍କ ଭୟର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ମାଓବାଦୀଙ୍କ ରୋଷର ଶିକାର ହୋଇ ଗୋଟିଏ ପରିବାରକୁ ଗ୍ରାମ ଛାଡ଼ିବାକୁ ପଡ଼ିଛି। ଏଭଳି ଘଟଣା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ସନ୍ୟାସୀଗୁଡ଼ା ଗ୍ରାମରେ ଘଟିଛି।
ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ତୋଟାଗୁଡ଼ା ଗ୍ରାମରେ ଗତ ୨୬ ତାରିଖରେ ଏନକାଉଣ୍ଟର ଘଟଣାରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ମାଓବାଦୀକୁ ପୁଲିସ କାବୁ କରିଥିଲା। ଏହି ଘଟଣାରେ ବହୁ ମାଓ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିଲା। ଏହି ଘଟଣା ପାଇଁ ଗ୍ରାମର ମୋନ ଗୋଲରୀଙ୍କ ପରିବାର ଦାୟୀ ବୋଲି ମାଓ ସଂଗଠନ ଅଭିଯୋଗ କରିଛି। ଏଥିପାଇଁ ପ୍ରଜାକୋର୍ଟରେ ତାଙ୍କୁ ଦାୟୀ କରି ଗ୍ରାମ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇ ଗ୍ରାମରୁ ବାସନ୍ଦ କରାଯାଇଥିଲା। ପରେ ମୋନ ସ୍ତ୍ରୀ ଓ ଝିଅକୁ ଧରି ନାକାମାମୁଡ଼ିକୁ ଆସି ତଙ୍କ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ସେଠାରୁ ଚିତ୍ରକୋଣ୍ଡା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲେ କାମ କରି ପରିବାର ଭରଣପୋଷଣ କରିପାରିବି ବୋଲି ଶ୍ରୀ ଗୋଲରୀ ପ୍ରକାଶ କରିଛନ୍ତି।