ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ଝାରସୁଗୁଡା,ଏନ୍ଏନ୍ଏସ୍: ବ୍ରଜରାଜନଗର ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଛି। ଓଡିଶା ୟୁଥ ଏଗେନ୍‌ଷ୍ଟ କର୍ପୋରେସନ, ରାଷ୍ଟ୍ର ହିତ ରକ୍ଷା ସଙ୍ଘ ଓ ବ୍ରଜରାଜନଗର ବିକାଶ ପରିଷଦ ପକ୍ଷରୁ ଏନେଇ ଅଭିଯୋଗ ହୋଇଛି। ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ, ପୌରାଞ୍ଚଳରେ ହୋଇଥିବା ନଳକୂପ ଖନନ, ପୋଖରୀ ଖନନ, ମଶା ଧୁଆଁ ଛିଞ୍ଚନ ତଥା ଅନ୍ୟ ଉନ୍ନତି ମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଛି। ଏହାସହ ପୌରପରିଷଦର ପୂର୍ବତନ ଉପନଗରପାଲ ଓ ୪ ଜଣ କାଉନସିଲର ଠିକାଦାରମାନଙ୍କୁ ବଟି ମାଗି ବହୁ ହଇରାଣ ହରକତ କରୁଛନ୍ତି।

ଏମାନଙ୍କ ବଟି ଆଦାୟ ଯୋଗୁଁ ଅନେକ ଠିକାଦାର କାମ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି। ସେହିପରି ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବାରୁ ବ୍ରଜରାଜନଗରବାସୀ ଏହାର ପ୍ରକୃତ ଲାଭ ପାଇ ପାରୁ ନଥିବାବେଳେ ଏହି ଦୁର୍ନୀତିଖୋର ପୂର୍ବତନ ଉପନଗରପାଲ ଓ କାଉନସିଲରମାନେ ସରକାରୀ ଟଙ୍କା ହଡପ କରୁଛନ୍ତି। ତେଣୁ ବ୍ରଜରାଜନଗର ପୌରପରିଷଦରେ ହୋଇଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀତିଖୋର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବ୍ରଜରାଜନଗର ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

ସେହିପରି ବ୍ରଜରାଜନଗର ପୌରପରିଷଦରେ ହୋଇଥିବା ଦୁର୍ନୀତିର ପ୍ରତିବାଦରେ ଆସନ୍ତା ୨୨ ତାରିଖ ପୌରପରିଷଦ ଘେରାଉ କରାଯିବ ବୋଲି ବ୍ରଜରାଜନଗର ବିକାଶ ପରିଷଦ, ଓଡିଶା ୟୁଥ ଏଗେନ୍‌ଷ୍ଟ କର୍ପୋରେସନ ଓ ରାଷ୍ଟ୍ର ହିତ ରକ୍ଷା ସଙ୍ଘ ପକ୍ଷରୁ କୁହାଯାଇଛି।