ଟିକା ବଣ୍ଟନ ପାଇଁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ: ସେରମ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆସନ୍ତା ୧ ବର୍ଷ ପାଇଁ ଦେଶରେ କରୋନା ‌ଟିକା‌ ବଣ୍ଟନ କରିବାକୁ ବିପୁଳ ପାଣ୍ଠି ଆବଶ୍ୟକ। ତେଣୁ କେନ୍ଦ୍ର ସରକାର ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଯୋଜନା କରିଛନ୍ତି। କାରଣ ସାରା ଭାରତରେ ଟିକା ବଣ୍ଟନ ପାଇଁ ଦେଶକୁ ୮୦ ହଜାର କୋଟି ଆବଶ୍ୟକ। ଏବେ ସିରମ୍‌ ଇନଷ୍ଟିଚ୍ୟୁଟ୍‌-ଅକ୍ସଫୋର୍ଡର କୋଭିସିଲ୍ଡ, ଭାରତ ବାୟୋଟେକ‌ର କୋଭାକ୍ସିନ୍‌ ଏବଂ ଫାଇଜର୍‌ ଟିକା ଜରୁରୀକାଳୀନ ବ୍ୟବହାର ତାଲିକାରେ ରହିଛି।

ତେବେ କେନ୍ଦ୍ର ସରକାରଙ୍କୁ ଆସନ୍ତା ବର୍ଷକ ପାଇଁ ‌ଟିକା‌ ବଣ୍ଟନ କରିବାକୁ ବିପୁଳ ପାଣ୍ଠି ସହ ପ୍ରସ୍ତୁତ ରହିବା ଉଚିତ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ କୁହାଯାଇଛି। ଟିକାକରଣ ଏକ ବଡ଼ ଚ୍ୟା‌ଲେଞ୍ଜ। ସେଥିପାଇଁ ସମସ୍ତ ପକ୍ଷଙ୍କୁ ଏଦିଗରେ କାମ କରିବାକୁ ପଡ଼ିବ ବୋଲି ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ସତୀଶ ଡି ରାଭେତକର କହିଛନ୍ତି।