ପି.ଭି ସିନ୍ଧୁ ଏବଂ ତାଙ୍କ ପିତାଙ୍କୁ ନବକଳେବର ସମୟରେ ଭାରତ ସରକାରଙ୍କ ଦ୍ୱାରା ଜାରି ସ୍ମାରକ ମୁଦ୍ରା ଓ ଓଡିଆ ସାଲ୍ ଉପହାରସ୍ୱରୂପ ପ୍ରଦାନ 

ନୂଆଦିଲ୍ଲୀ/ଭୁବନେଶ୍ୱର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହାବ୍ୟତିତ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ୨୦୨୦ ଅଲମ୍ପିକ୍ସ ପ୍ରତିଯୋଗୀତା ପାଇଁ ଶୁଭକାମନା ଜଣାଇଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ପି.ଭି ସିନ୍ଧୁ ଏବଂ ତାଙ୍କ ପିତାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଅବସରରେ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ମାରକ ମୁଦ୍ରା ଓ ଏକ ଓଡିଆ ସାଲ୍ ଉପହାରସ୍ୱରୂପ ପ୍ରଦାନ କରିଥିଲେ ।

ପି.ଭି ସିନ୍ଧୁଙ୍କୁ ଜଣେ ଆଗଧାଡିର ଯୁବ ପ୍ରତିଭା ଏବଂ ତାଙ୍କର ଉଦ୍ୟମ ସାମାଜିକ ପରିବର୍ତନ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହାସହ ତାଙ୍କୁ ରାଷ୍ଟ୍ରୀୟ ମିଶନ ଏବଂ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛ ଭାରତ ମିଶନ, ଜଳଶକ୍ତି ଅଭିଯାନ ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା ପରେ ପି.ଭି ସିନ୍ଧୁ ଖୁସିବ୍ୟକ୍ତ କରିବା ସହ ସମ୍ବର୍ଦ୍ଧିତ କରିବା ପାଇଁ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହାସହ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନ୍ଏଲ୍)କୁ ମଧ୍ୟ ସମର୍ଥନ ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ ।   ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡର ବ୍ରାଣ୍ଡ  ଆମ୍ବାସେଡର ହେଉଛନ୍ତି ପି.ଭି ସିନ୍ଧୁ ।