ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପ୍ରକଳ୍ପର ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତ କରି ଏଠାରେ ହେବାକୁ ଥିବା ଇକୋ ରିଟ୍ରିଟ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ଇକୋ ରିଟ୍ରିଟ୍ ପରିସର, କଟେଜ୍, କ୍ୟାଣ୍ଟିନ୍, ଡାଇନିଂ ହଲ୍ ସହ ବିଜୁଳି, ପାନୀୟ ଜଳ ଓ ମୁଖ୍ୟ ରାସ୍ତାରୁ ଏହାକୁ ସଂଯୋଗ କରୁଥିବା ରାସ୍ତା ଆଦି ବୁଲି ଦେଖିଛନ୍ତି । ଏଥିସହିତ କାର୍ୟ୍ୟ କିଭଳି ଶୀଘ୍ର ସରିବ ଏବଂ ପର୍ଯ୍ୟଟ ଏଠାରେ କିପରି ଭଲ ଭାବରେ ସବୁ ସୁବିଧା ପାଇପାରିବେ ସେନେଇ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ସହ ପର୍ୟ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ରନ୍ ଯାଦବ, କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ଡିଏଫ୍ଓ ବିଶ୍ୱନାଥ ନୀଳନବର, ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ସାମିଲ ଥିଲେ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଏବଂ ଏହି ଇକୋ ରିଟ୍ରିଟ୍ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକ ଅଧିକ ଫୋକସ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।