ନାବାଳିକା ଝିଅକୁ ବାପାର ଅସଦାଚରଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ସାହାରାଞ୍ଚଳରେ ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ନାବାଳିକା ଝିଅ ସହ ଅସଦାଚରଣ କରିଥିବା ସୂଚନା ମିଳିଛି। ଏନେଇ ଝାରସୁଗୁଡ଼ା ଥାନାରେ ଚାଇଲ୍ଡ ଲାଇନ୍ ମାଧ୍ୟମରେ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୁଲିସ ଅଟକ ରଖି ତଦନ୍ତ ଚଲାଇଛି।

ସୂଚନାନୁଯାୟୀ, ଘରେ ସମ୍ପୃକ୍ତ ଝିଅ ସହ ତା’ ବାପା ଓ ବୃଦ୍ଧା ଆଈ ରୁହନ୍ତି । ଗତ ରବିବାର ଆଈ ଘରେ ନଥିବା ସମୟରେ ଝିଅକୁ ଏକୁଟିଆ ଦେଖି ନିଶାଶକ୍ତ ବାପା ଝିଅକୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିବାର ପ୍ରୟାସ କରିଥିଲା। ଏନେଇ ନାବାଳିକା ଜଣକ ନିଜ ପଡ଼ିଶାରେ ରହୁଥିବା ସମ୍ପର୍କୀୟଙ୍କୁ ଜଣାଇବା ପରେ ବୃଦ୍ଧା ଆଈଙ୍କୁ ପଡ଼ିଶା ଲୋକେ ଡାକି ସବୁକିଛି କହିଥିଲେ । ଏନେଇ ଅଭିଯୁକ୍ତ ବୃଦ୍ଧା ସହ ପାଟିତୁଣ୍ଡ କରି ଚୁପ ରହିବା ପାଇଁ ଧମକ ଦେଇଥିଲା। ତେବେ ବୃଦ୍ଧା ଜଣକ ଚାଇଲଡ ଲାଇନ ସହଯୋଗରେ ଥାନାରେ ମାମାଲା ରୁଜୁ କରିଥିଲେ । ପରେ ଚାଇଲଡ ଲାଇନ ପକ୍ଷରୁ ପୀଡ଼ିତା ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ ପରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଝାରସୁଗୁଡା ଚାଇଲଡ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି ।