କରୋନାରେ ବିଜେପି ବିଧାୟିକା କିରଣ ମହେଶ୍ୱରୀଙ୍କ ପରଲୋକ

ଗୁରୁଗ୍ରାମ,ଏଜେନ୍ସି: ରାଜସ୍ଥାନର ରାଜସମାନନ୍ଦ ବିଜେପି ବିଧାୟିକା କିରଣ ମହେଶ୍ୱରୀଙ୍କ ରବିବାର ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି। ସୂଚନା ଅନୁସାରେ ଗତ ମାସରେ ସେ କରୋନା ସଂକ୍ରମିତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତେବେ ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ଉଦୟପୁର ଅଣାଯିବ।

କିରଣ ମହେଶ୍ୱରୀ ରାଜସ୍ଥାନର ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ। ଏହା ପୂର୍ବରୁ ସେ ଜାତୀୟ ସାଧାରଣ ସଚିବ, ଜାତୀୟ ଉପାଧ୍ୟକ୍ଷ ଓ ବିଜେପି ମହିଳା ୱିଂଗର ମୁଖ୍ୟ ଥିଲେ।

ଶ୍ରୀମତି ମହେଶ୍ୱରୀଙ୍କ ବିୟୋଗରେ ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକ ବ୍ୟକ୍ତ କରିବା ସହିତ ଏହା ତାଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ଟୁଇଟ କରି କହିଛନ୍ତି। ଏଥିସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।