ଡିସେମ୍ବର ୧୨ରେ ଝାରସୁଗୁଡ଼ା ବାର କାଉନସିଲ ନିର୍ବାଚନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆସନ୍ତା ଡ଼ିସେମ୍ବର ୧୨ ତାରିଖରେ ଝାରସୁଗୁଡ଼ା ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେବ। ବିଭିନ୍ନ ପଦପଦବୀ ପାଇଁ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସଭାପତି ପଦବୀ ପାଇଁ ତ୍ରିନାଥ ଗୁଆଲ ଓ ବନ୍ଦନା ମୁନ୍ଦ୍ରା, ଉପସଭାପତି ପାଇଁ ଲକ୍ଷ୍ମୀଚରଣ ପାଲ, ସମ୍ପାଦକ ପାଇଁ ପ୍ରଶାନ୍ତ କୁମାର ମହାରଣା, ସଂଯୁକ୍ତସମ୍ପାଦକ ପାଇଁ ମନୀଷ କୁମାର ବାଚପାୟୀ, ସଞ୍ଜୀତ ପ୍ରସାଦ ରାୟ, କୋଷାଧ୍ୟକ୍ଷ ପାଇଁ ରାକେଶ କୁମାର ପାଲ, ଏକଜିକ୍ୟୁଟିଭ କମିଟି ମେମ୍ବର ପାଇଁ ସାଧାନା ସାମନ୍ତରାୟ, ଦେବାନନ୍ଦ ତିୱାରୀ ଓ କୈଳାଶ ମହାନନ୍ଦିଆ ପ୍ରାର୍ଥୀପତ୍ର ଦାଖଲ କରଛନ୍ତି। ଏକଜିକ୍ୟୁଟିଭ କମିଟି ମେମ୍ବରରେ ୫ଜଣ ରହିବା କଥା କିନ୍ତୁ ଏବେସୁଦ୍ଧା ୩ଜଣ ହିଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି କେବଳ ସଭାପତିକୁ ବାଦ ଦେଲେ ଅନ୍ୟାନ ପଦପଦବୀ ପାଇଁ ମଧ୍ୟ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦନ୍ଦ୍ୱରେ ନିର୍ବାଚିତ ହେବେ। ଏହି ନିର୍ବାଚନ ପାଇଁ ଗତ ୧୮ ତାରିଖରେ ନୋଟିସ ଜାରି କରାଯାଇଥିଲା। ୨୪ ଓ ୨୫ ନଭେମ୍ବର ୨ଦିନ ଧରି ପ୍ରାର୍ଥୀପତ୍ର ପ୍ରଦାନ ଓ ଗ୍ରହଣ କରାଯାଇଥିବାବେଳେ ଆଜି ସ୍କୁଟନି କରାଯାଇଛି। ୨୮ ତାରିଖରେ ପ୍ରାର୍ଥୀମାନେ ନିଜର ନାମ ପ୍ରତ୍ୟାହାର କରିପାରିବେ ଓ ସେହିଦିନ ଚୂଡ଼ାନ୍ତ ନିର୍ବାଚନ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଡିସେମ୍ବର ୧୨ ତାରିଖରେ ନିର୍ବାଚନ ଓ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନୀ ଅଧିକାରୀ କିଶୋର ପଟେଲ ଓ ଅନିଲ ଗୋୟଲ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବାର ଆସୋସିଏସନରେ ମୋଟ ୩୦୫ ଜଣ ଭୋଟର ରହିଛନ୍ତି।