ୟୁନିଅନ ବ୍ୟାଙ୍କ୍ ଶାଖାରେ ସିବିଆଇ ଚଢ଼ଉ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରସ୍ଥିତ ୟୁନିଅନ୍ ବ୍ୟାଙ୍କ କସ୍ତୁରୀ ନଗର ଶାଖାରେ ସିବିଆଇ ଚଢ଼ଉ ହୋଇଛି। ଗତକାଲି ସନ୍ଧ୍ୟାରେ ସିବିଆଇ ତରଫରୁ ଏକ ଠକେଇ ମାମଲାରେ ଚଢ଼ଉ କରାଯାଇଥିଲା। ୪୪ କୋଟି ଟଙ୍କାର ୠଣ ଅର୍ଥ ଠକେଇ ଅଭିଯୋଗରେ ଏହି ଚଢ଼ଉ ହୋଇଛି। ସୂଚନା ଅନୁସାରେ, ୟୁନିଅନ ବ୍ୟାଙ୍କରେ ମିଶ୍ରଣ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ କସ୍ତୁରୀ ନଗର ଶାଖାରୁ ତରୁଣଶ୍ରୀ କଟନ ମିଲ ପକ୍ଷରୁ ୠଣ ନିଆଯାଇଥିଲା । ୠଣ ଓ ସୁଦ୍ଧ ମିଶି ବର୍ତ୍ତମାନ ଏହା ୪୪ କୋଟି ଟଙ୍କାରେ ପହଞ୍ଚିଛି । ତେବେ ୠଣ ଅର୍ଥ ନସୁଝିବା ଯୋଗୁଁ ବ୍ୟାଙ୍କ ପକ୍ଷରୁ ତରୁଣଶ୍ରୀ କଟନ ମିଲର ପ୍ରସ୍ତାବିତ ପ୍ରକଳ୍ପସ୍ଥାନକୁ ଜବତ କରାଯାଇଛି। ଏଥିସହ ନିଲାମ ପାଇଁ ମଧ୍ୟ ଘୋଷଣା ହୋଇଛି।

୨୦୧୭ ମସିହାରେ ଏହା ଜବତ ସହ ନିଲାମ ଘୋଷଣା କରାଯାଇଥିଲା । ଆଉ ବର୍ତ୍ତମାନ ୟୁନିଅନ ବ୍ୟାଙ୍କରେ ଆନ୍ଧ୍ର ବ୍ୟାଙ୍କ ମିଶ୍ରଣ ପରେ ସେ ସିବିଆଇରେ ମାମଲା ରୁଜୁ କରାଯାଇଥିଲା । ୟୁନିଅନ ବ୍ୟାଙ୍କର ସମ୍ବଲପୁରସ୍ଥିତ ଆଞ୍ଚଳିକ ଶାଖା ପକ୍ଷରୁ ଏହି ମାମଲା ରୁଜୁ କରାଯିବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଏହି ଜାଲିଆତିରେ ବ୍ୟାଙ୍କର କିଛି ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡିଛି। ତେବେ ସିବିଆଇର ଟିମ ଗତ ଦୁଇଦିନ ଧରି ଅତି ଗୁପ୍ତ ଭାବରେ ଏହି ତଦନ୍ତ କରି ଫେରିଯାଇଛନ୍ତି । ଏନେଇ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।