ଭାରତରେ ବଡ଼ଧରଣର ଆତଙ୍କୀ ହମଲା ଆଶଙ୍କା, ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ, ଏଜେନ୍ସି: ଭାରତରେ ବଡ଼ଧରଣର ଆତଙ୍କୀ ହମଲା ଆଶଙ୍କା କରିଛି ଗୋଇନ୍ଦା ବିଭାଗ। ଗୁରୁବାର ଦିନ ଜମ୍ମୁ- କାଶ୍ମୀରର ନଗରୋଟା ଠାରେ ଏକ ଟ୍ରକ୍ରେ ଜୈଶ ଆତଙ୍କବାଦୀଙ୍କ ଉପସ୍ଥିତି ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ୨୬/୧୧ ଆକ୍ରମଣର ବାର୍ଷିକି ଅବସରରେ ପୁଣିଥରେ ଆକ୍ରମଣ ଯୋଜନା କରିଥିଲେ ଆତଙ୍କବାଦୀ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଆଜିଲ ଡୋଭାଲ, ବୈଦେଶିକ ସଚିବ ତଥା ବରିଷ୍ଠ ଗୁପ୍ତଚର ପ୍ରତିଷ୍ଠାନର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ- କାଶ୍ମୀରର ନଗରୋଟାସ୍ଥିତ ସୁରକ୍ଷା ବାହିନୀ ଏକ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଆଇଜି ମୁକେଶ ସିଂ କହିଛନ୍ତି ଯେ, ନଗରୋଟା, ଜମ୍ମୁ କାଶ୍ମୀରର ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଛି । ୧୧ ଏକେ-୪୭ ରାଇଫଲ, ତିନୋଟି ପିସ୍ତଲ, ୨୯ ଗ୍ରେନେଡ, ମୋବାଇଲ୍ ଫୋନ୍, କମ୍ପାସ୍, ଗୁଳି ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ଗୁରୁବାର ସମସ୍ତ ପଏଣ୍ଟରେ ପୁଲିସ ଏବଂ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଯାଞ୍ଚ ସମୟରେ ଏକ ଟ୍ରକକୁ ଅଟକାଇ ଦିଆଯାଇଥିଲା। ସନ୍ଦେହ କରାଯାଉଥିବା ବେଳେ ଟ୍ରକଟି ଖୋଜାଖୋଜି ବେଳେ ଡ୍ରାଇଭର ଖସି ପଳାଇଥିଲା । ଏହି ସମୟରେ ସୁରକ୍ଷା ବାହିନୀ ଉପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା।