ପୂଜାପାଠ ଆଳରେ ମହିଳାଙ୍କୁ ଦୁଷ୍କର୍ମ : ପୂଜକ ଗିରଫ

ମାଲକାନଗିରି, ଏନ୍ଏନ୍ଏସ୍: ଗ୍ରହ ଦୋଷ ଖଣ୍ଡନ ପାଇଁ ପୂଜାପାଠ ଆଳରେ ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନାର ଟେକାଲଗୁଡ଼ା ଗ୍ରାମରେ।
ସୂଚନା ଅନୁସାରେ, ସମ୍ପୃକ୍ତ ଗ୍ରାମର ଏକ ପରିବାରରେ ଦୀର୍ଘଦିନ ଧରି ନାନା ସମସ୍ୟା ଲାଗି ରହିଥିଲା। ଏହାର ସମାଧାନ ପାଇଁ ଏମ୍ପି.ଭି-୬୬ ଗ୍ରାମର ପୂଜକ ଅପୂର୍ବ ପାଲ ଘରେ ପୂଜାପାଠ କଲେ ଗ୍ରହ ଦୋଷ ଖଣ୍ଡନ ହେବ ବୋଲି ପରାମର୍ଶ ଦେଇଥିଲେ। ଏଥିପାଇଁ ଗତ ଗୁରୁବାର ଦିନ ପୂଜାପାଠ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ପୂଜାପାଠ ପରେ ସ୍ୱାମୀ, ସ୍ତ୍ରୀଙ୍କ ସହ ଅପୂର୍ବ ଗୋଟିଏ କେଠାରୀରେ ରହିଥିବା ବେଳେ ସଦସ୍ୟମାନେ ଅନ୍ୟ ଏକ କୋଠରୀରେ ଶୋଇଥିଲେ। ତେବେ ପୂର୍ବାହ୍ନରେ ଅପୂର୍ବ ପୀଡ଼ିତାଙ୍କ ସ୍ୱାମୀଙ୍କୁ ପୂଜା ଫୁଲ ନଦୀରେ ବିସର୍ଜନ କରିବା ସହ ପୂଜା ସମାପନ କରିବାକୁ କହିଥିଲେ। ପୂଜକଙ୍କ କଥାରେ ସ୍ୱାମୀ ଫୁଲ ବିସର୍ଜନ କରିବାକୁ ଯାଇଥିବା ବେଳେ ଅପୂର୍ବ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏବିଷୟରେ ପଡ଼ିଆ ଥାନାରେ ପରିବାରବର୍ଗ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।