ଜଙ୍ଗଲ ଜମିକୁ ନେଇ ସଂଘର୍ଷ, ୭ ଆହତ

କୋଟଗଡ,ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଆଜି ଏଜ ଜଙ୍ଗଲ ଜମିକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୭ଜଣ ଆହତ ହୋଇଥିଲେ। ସେମାନଙ୍କୁ କୋଟଗଡ଼ ଓ ବାଲିଗୁଡ଼ା ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେସରାଗୁଡ଼ା ଗ୍ରାମବାସୀ ଦୀର୍ଘବର୍ଷ ହେଲା ଏକ ଜଙ୍ଗଲ ଜମିକୁ ନିଜ ଅକ୍ତିଆରାରେ ରଖିଥିଲେ ମଧ୍ୟ ଗତ କିଛିଦିନ ହେଲା ମଦାଙ୍ଗି ଗ୍ରାମର କିଛି ଲୋକ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରିଥିଲେ।

ଏହି ଘଟଣାକୁ ନେଇ ଗତ କିଛିଦିନ ହେଲା ଉଭୟ ଗ୍ରାମ ମଧ୍ୟରେ ଅଶାନ୍ତି ଲାଗିରହିଥିଲା। ଆଜି ମଦାଙ୍ଗି ଗ୍ରାମ ନିକଟରେ ଉଭୟ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୭ଜଣ ଆହତ ହୋଇଥିଲେ। ଖବର ପାଇ କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ, ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ସହିତ ଏକ ପ୍ଲାଟୁନ୍ ପୁଲିସ୍ ଫୋର୍ସ ପହଞ୍ଚି ବୁଝାସୁଝା କରିଥିଲେ। ଘଟଣାସ୍ଥଳରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , କୋଟଗଡ଼ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ , ତହସିଲଦାର ଲକ୍ଷ୍ମୀ ନାରାୟଣ ସାହୁ ଏବଂ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ।