ଶାନ୍ତି ପାଇଁ ବ୍ଲକ୍ ପରିସରରେ ନବଗ୍ରହ ପୂଜା

ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: ପୁଣି ଚର୍ଚ୍ଚାକୁ ଆସିଛି ଫିରିଙ୍ଗିଆ ବ୍ଲକ। ଗତ ଦିନରେ ଘଟିଥିବା କିଛି ଘଟଣାକୁ ନେଇ ଆଜି ଶାନ୍ତି ପାଇଁ ବ୍ଲକ୍ ପରିସରରେ ନବଗ୍ରହ ପୂଜା ହୋଇଥିଲା।  ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରକାରୀ ବାସଭବନରେ ଆତ୍ମହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଏହି ଘଟଣାକୁ ୫ ଦିନ ନପୂରୁଣୁ ଆଉ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆତ୍ମହତ୍ୟା କରିଥିଲେ। ଏହି ୨ଟି ଏଭଳି ଘଟଣା ପରେ ସରକାରୀ ବାସଭବନରେ ରହୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା।

ଏନେଇ ମଙ୍ଗଳବାର ବ୍ଲକ ପରିସରରେ ନବଗ୍ରହ ଶାନ୍ତି ହୋମ ଯଜ୍ଞ ଆୟୋଜନ ହୋଇଥିଲା। ମୁଖ୍ୟ କିରାଣି ସନ୍ତୋଷ କୁମାର ପାଢୀଙ୍କ ତତ୍ତ୍ୱାବଧାନରେ ଏହି ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଫୁଲବାଣୀ ବିଡିଓ ଶାନ୍ତନୁ କୁମାର ନାଏକ, ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ, କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର , ଅଶୋକ କୁମାର ପାଢୀ, ସୁମନ୍ତ କୁମାର ଭୋଇ , ଏପିଓ ଶୁମନ୍ତ କୁମାର ଉତଥାନ ସିଂ, ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଗନ୍ନାଥ ରଣା, ସୁକାନ୍ତ ପଟ୍ଟନାୟକ ଓ ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦେହୁରି , ଗୌର ଚନ୍ଦ୍ର କହଁର , ଜିଆରଏସ ରାକେଶ ପଣ୍ଡା, ଜିତେନ୍ଦ୍ର ଆଚାର୍ଯ୍ୟଙ୍କ ସହ ବ୍ଲକରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।