ହିମାଚଳ ଓ ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୫ ଜଣ ଗୁରୁତର

ସିଦ୍ଧାର୍ଥନଗର,ଏଜେନ୍ସି: ହିମାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ପୁଲଗହାଟ ଅଞ୍ଚଳରେ ଆଜି ଭୋର ୩ଟାରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ଜଳାଶୟକୁ ଖସିପଡ଼ିଥିଲା। ଫଳରେ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିଭଳି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଢ଼ୟା ଗାଁ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଛି। କାରରେ ଥିବା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇଛି। ତେବେ କାରଟି ବିହାର ଯାଉଥିବା ଜଣାପଡ଼ିଛି।