କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହଷ୍ଟେଲକୁ ରାତ୍ରିରେ ରକେଟ ମାଡ଼ 

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହଷ୍ଟେଲକୁ ଗତକାଲି ରାତ୍ରିରେ କିଛି ଯୁବକ ଦୀପାବଳି ବାହାନାରେ ରକେଟ ମାଡ କରିଥିବା ଅଭିଯୋଗ ହୋଇଛି। ଗତକାଲି ଦୀପାବଳି ଉତ୍ସବ ପାଳନ କରି ସାରି ମେଡିକାଲ କଲେଜର ଛାତ୍ରମାନେ ପରୀକ୍ଷା ଥିବାରୁ ପାଠପଢିବାକୁ ହଷ୍ଟେଲକୁ ଯାଇଥିଲେ। ହଷ୍ଟେଲକୁ ଯିବା ପରେ କଲେଜ ପାଚେରି ବାହାରେ କିଛି ଯୁବକ ଗାଡିକୁ ବହୁତ ଜୋରରେ ଗର୍ଜନ କରିବା ସହିତ ୧୦ରୁ ୧୫ଟି ରକେଟ ଓ ଟେକା ପଥର ହଷ୍ଟେଲ ଉପରକୁ ମାଡ଼ କରିଥିଲେ। ଏଥିରେ କିଛି ଛାତ୍ର ଆହତ ହୋଇଥିଲେ। ହଷ୍ଟେଲରୁ ଅନ୍ୟଛାତ୍ରମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ପରେ ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଖବରପାଇ ଘଟଣାସ୍ଥଳକୁ ଆସି ଛାତ୍ରମାନଙ୍କୁ ବୁଝାଇବା ହଷ୍ଟେଲକୁ ପଠାଇଥିଲେ।

ଆଜି ଉକ୍ତ ଛାତ୍ରମାନେ କୋରାପୁଟ ଟାଉନଥାନାକୁ ଯାଇ ଅଧିକାରୀ ଧିରେନ ପଟନାୟକଙ୍କ ସହ ଆଲୋଚନା କରିଥିଲେ। କଲେଜ ପରିସରରେ ରାତ୍ରି ପହରାକୁ କଡାକଡି କରାଯିବା ସହ ସିସିଟିଭି କ୍ୟାମେରା ଲଗେଇବେ ବୋଲି ପୁଲିସ ଅଧିକାରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଏଥିସହିତ ଛାତ୍ରମାନେ ଏ ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଏସପିଙ୍କୁ ଟୁଇଟ କରି ଜଣାଇଛନ୍ତି। ଦୋଷୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି।