ଇଣ୍ଡ ଭାରତରୁ ଚୋରି କରି ୧୮ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସାହାଜବାହାଲସ୍ଥିତ ବନ୍ଦ ପଡିଥିବା ଇଣ୍ଡ ଭାରତ କାରଖାନାରୁ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ୧୪ ଜଣ ଅଭିଯୁକ୍ତଙ୍କୁ ଆଜି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ତାର, ବ୍ୟାଟେରି, ଲୁହା ସାମଗ୍ରୀ, ଏକ ଟେମ୍ପୋ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମପ୍ରସାଦ ବାଗ, ଜଗଦିଶ ସତନାମି, ସୁରୁବାବୁ ରୋହିଦାସ, କୁମାର ଭୋଇ, ସରୋଜ ମୁଣ୍ଡା, ବୃନ୍ଦାବନ ପଧାନ, ସୁଦାମ ଠାକୁର, ଅନୱର ହୁସେନ, ମାଧବ ଠାକୁ, ସଙ୍କିର୍ତନ କୁନାର, ମନୋଜ ପ୍ରଧାନ, ସୁଦାମ ବେହେରା, ମନୋରଞ୍ଜନ ବେହେରା, ହରି ମୁଣ୍ଡା, ବଲରାମ ମୁଣ୍ଡା, ମୁନୁରାମ ମୁଣ୍ଡା, ସୁନିଲ ସତନାମି ଓ ଚନ୍ଦ୍ରପ୍ରକାଶ ସତନାମି ବୋଲି ବନହରପାଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ବନ୍ଦ ପଡ଼ିଥିବା ଇଣ୍ଡ ଭାରତ କାରଖାନାକୁ ପଶି ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ସେମାନେ ଚୋରି କରି ଫେରାର ହେଉଥିବା ସମୟରେ କିଛି ଶବ୍ଦ ଶୁଣି ପ୍ଲାଣ୍ଟ ଜଗୁଥିବା ଜଣେ ସୁରକ୍ଷାକର୍ମୀ ସେଠାକୁ ଯାଇ ଖୋଜାଖୋଜି କରିଥିଲେ। ହେଲେ ସେଠାରେ କେହି ଉପସ୍ଥିତ ନଥିବାବେଳେ ୧୧ କେଭି ବିଶିଷ୍ଟ ତାର, ବ୍ୟାଟେରି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ତାଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ସହ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଢୁନଢୁନ ଛକ ନିକଟସ୍ଥ ଏକ କବାଡିଖାନାରୁ ଏହି ସାମଗ୍ରୀ ଜବତ କରିଥିଲା। ପରେ ପୁଲିସ ସେଠାରୁ ଚୋରଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।