ନୂଆଦିଲ୍ଲୀ,ଏଜେନ୍ସି: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ସହଯୋଗ କରିଥିବା ୧୧ଜଣ ଆତଙ୍କୀ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଥିବା ପାକ୍ର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏଫଆଇଏ) ପକ୍ଷରୁ ବୁଧବାର ସ୍ୱୀକାର କରାଯାଇଛି। ୨୦୦୮ରେ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନର ମୁଲତାନ ଜିଲ୍ଲାର ଅମଜାଦ ଖାନ୍ ହମ୍ଲାରେ ବ୍ୟବହୃତ ହୋଇଥିବା ଡଙ୍ଗା କିଣିବାରେ ସାହାଯ୍ୟ କରିଥିଲା। ଏହାଛଡା ଅମଜାଦ୍ ଡଙ୍ଗା ପାଇଁ ବ୍ୟବହୃତ ୟାମାହା ମୋଟର ଇଞ୍ଜିନ୍, ଲାଇଫ୍ ଜ୍ୟାକେଟ୍ ଏବଂ କରାଚିର ଏଆରଜେଡ୍ ୱାଟର ସ୍ପର୍ଟଠାରୁ ରବର ବୋଟ୍ କିଣିଥିଲା। ଏହି ଜିନିଷଗୁଡ଼ିକ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଉପରେ ଆକ୍ରମଣ ସମୟରେ ବ୍ୟବହୃତ ହୋଇଥିଲା।
ସେହିପରି ବହାବଲପୁରର ଶାହିଦ୍ ଗଫୁର ଏହି ଆତଙ୍କୀ ଆକ୍ରମଣରେ ବ୍ୟବହୃତ ଡଙ୍ଗାର କ୍ୟାପଟେନ୍ ଭାବେ କାର୍ଯ୍ୟ କରିଥିଲେ। ପାକରେ ଉପସ୍ଥିତ ଥିବା ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ୯ଜଣ ନୌକା ଚାଳକଙ୍କ ସମ୍ପର୍କରେ ମଧ୍ୟ ଏଫଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ହେଉଛନ୍ତି ଅତିକ-ଉର୍-ରେହମାନ, ରିୟାଜ ଅହମ୍ମଦ, ମହମ୍ମଦ ମୁସ୍ତାକ, ମହମ୍ମଦ ନଇମ୍, ଅବଦୁଲ୍ ଶକୁର, ମହମ୍ମଦ ସାବିର, ମହମ୍ମଦ ଉସମାନ, ରହିମ୍ ୟାର ଏବଂ ସକିଲ୍ ଅହମ୍ମଦ। ଏଫଆଇଏର ଏହି ତାଲିକାରେ ଥିବା ସମସ୍ତ ଆତଙ୍କୀ ଲସ୍କର-ଇ-ତୋଇବାର ସଦସ୍ୟ ବୋଲି ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ପ୍ରକାଶିତ ଆତଙ୍କୀ ତାଲିକାରେ ଉଲ୍ଲେଖ କରାଯାଇଛି।