ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ କଂଗ୍ରେସ ବର୍ତ୍ତମାନ ଶକ୍ତିହୀନ ହୋଇପଡ଼ିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟର ଏହାର ସଙ୍କେତ ଦେଇସାରିଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଓଡ଼ିଶା କଂଗ୍ରେସ ମୁକ୍ତ ହେବାସହ ରାଜ୍ୟରେ ବିଜେପି-ବିଜେଡି ସିଧାସଳଖ ଲଢ଼େଇ ହେବା ନେଇ ଏହି ଉପନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ସେହିପରି ଦୁଇ ନିର୍ବାଚନମଣ୍ଡଳୀରେ ମିଳିଥିବା ଜନମତକୁ ମୁଁ ନମ୍ରତାର ସହ ସ୍ୱୀକାର କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ମୋଦୀ ସରକାର ହଜାର ହଜାର କୋଟି ଟଙ୍କା ସହାୟତା କରିବା ସତ୍ତେ୍ୱ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦୀ ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ବାଟମାରଣା ଓ ବ୍ୟାପକ ଭ୍ରଷ୍ଟାଚାର ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢ଼ୁଥିଲା। ସେହିପରି କରୋନା ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ଭାଇ ଭଉଣୀମାନଙ୍କୁ ରୋଜଗାରକ୍ଷମ ନକରାଇ ପ୍ରତାରଣା କରିବା ପ୍ରସଙ୍ଗ ଆମେ ଉଠାଇଥିଲୁ। ତେବେ ଆମେ ଉପନିର୍ବାଚନରେ ବିଫଳ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ବୁଥ୍ ସ୍ତରରେ ସଂଗଠନକୁ ସୁଦୃଢ଼ କରି ଓଡ଼ିଆ ଭାଇ ଭଉଣୀଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ ବୋଲି ସେ କହିଥିଲେ। ଅନ୍ୟପଟେ କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡା ଆଉ କୌଣସି ପ୍ରସଙ୍ଗ ନଥିଲା। ୨୦୧୯ ନିର୍ବାଚନରେ ବିଜେପିକୁ ବିରୋଧୀ ଦଳର ମାନ୍ୟତା ଦେଇ କଂଗ୍ରେସକୁ ବ୍ୟାକଫୁଟକୁ ଠେଲିଥିଲେ ଓଡ଼ିଶାର ଜନତା। ଦୁଇ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିବା ପରେ ବି କଂଗ୍ରେସ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତି କରି ଚାଲିଛି।
ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତିନ୍ଦୁଇ ନିବ୪ାଚନମଣ୍ଡଳୀର ଭୋଟରଙ୍କୁ ଧନ୍ୟବାଦ ଦେବା ପୂର୍ବକ ସେ କହିଲେ ଯେ କରୋନା ସଙ୍କଟ ସମୟରେ ଘରୁ ବାହାରି ନିଜ ନିଜ ମତ ସାବ୍ୟସ୍ତ କରିଥିବାରୁ ଭୋଟର ଭାଇ ଭଉଣୀଙ୍କୁ ଧନ୍ୟବାଦ। ସେହିପରି ଏହି ଦୁଇଟି ବିଧାନସଭାରେ କରୋନା ସମୟରେ ଘରୁ ବାହାରି କଠିନ ପରିଶ୍ରମ କରିଥିବା ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର ଏବଂ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।