ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ନୂଆପଡ଼ା ନିକଟରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରୁ କୋଇଲା ଚୋରି କରୁଥିବାବେଳେ ଅଘଟଣ ଘଟିଛି। ଯୁବକ ଜଣକ ରେଳ ଲାଇନ ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ନୂଆପଡ଼ାର ମେହମୁଦ ଆଲମ (୪୦) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହାୱଡା- ମୁମ୍ବାଇ ରେଳପଥରେ ମଙ୍ଗଳବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ ବ୍ରଜରାଜନଗର ପଟୁୁ ଛତିଶଗଡ଼ ପଟକୁ ଯାଉଥିଲା। ତେବେ ଲାଇନ ମୁକ୍ତ ନଥିବାରୁ ନୂଆପଡ଼ାଠାରେ କିଛି ସମୟ ଧରି ଏହି ଟ୍ରେନଟି ଛିଡ଼ାହୋଇ ରହିଥିଲା। ମେହମୁଦ ଛିଡ଼ା ହୋଇଥିବା ଏହି କୋଇଲା ବୋଝେଇ ରେଳ ବଗିରେ ଚଢ଼ି କୋଇଲା ଚୋରି କରୁଥିବାବେଳେ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କ ଶରୀରର ଅଧିକାଂଶ ଭାଗ ପୋଡିଯିବା ସହ ସେ ରେଳ ୱାଗନରେ ଅଚେତ ଅବସ୍ଥାରେ ପଡି ଯାଇଥିଲେ।