ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ମଙ୍ଗଳବଜାରସ୍ଥିତ ଅଡିଟୋରିୟମରେ ଓଡ଼ିଶା ସରକାରଙ୍କ “ଜାଗା ମିଶନ’ ଯୋଜନାରେ ୬୦ ଜଣ ଭୂମିହୀନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ଭୂମିହୀନଙ୍କ ଦୁଃଖ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ପ୍ରତ୍ୟେକ ଭୂମିହୀନଙ୍କୁ ଜମି ପ୍ରଦାନ କରାଯିବ। ଯଦ୍ୱାରା ନିଜସ୍ୱ ଭୂମି ନଥିବାରୁ ଘର ତିଆରି କରି ପାରୁନଥିବା ଭୂମିହୀନମାନଙ୍କୁ ଜାଗା ସହ ବିଜୁ ପକ୍କାଘର ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିପାରିବ। ସମସ୍ତ ଭୂମିହୀନଙ୍କୁ ଜମି ଯୋଗାଇବା ଅସମ୍ଭବ ପରି ଲାଗୁଥିଲେ ହେଁ ମୁଖ୍ୟମନ୍ତ୍ରୀ ଏହାକୁ ସମ୍ଭବ କରିପାରିଛନ୍ତି। ରାଜ୍ୟର ଅଧିକାଂଶ ଭୂମିହୀନ ଏବେ ଜମି ଓ ବିଜୁ ପକ୍କାଘର ପାଇ ସାରିଥିବାବେଳେ ଆଗାମୀ ଦିନରେ ସମସ୍ତ ଭୂମିହୀନ ଗରିବଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଝାରସୁଗୁଡ଼ାରେ ଏବେ ୨୩ଶହ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଝାରସୁଗୁଡ଼ା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରଳଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଝାରସୁଗୁଡ଼ା ପୌରନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ପୂର୍ବତନ ନଗରପାଳ ତାପସରାୟ ଚୌଧୁରୀ, ହରିଶ ଗଣତ୍ରା, ପୂର୍ବତନ କାଉନସିଲର ତ୍ରୀନାଥ ଗୋୟଲ, ରାଜୁ ପାଣିଗ୍ରାହୀ, ପିଣ୍ଟୁ ପାଢ଼ୀ ଓ ପ୍ରତାପ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।