କରୋନା ପରେ ଟେକ୍ନୋଲୋଜୀ ମୁଖ୍ୟ ଭୂମିକା ଗ୍ରହଣ କରିବ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଦିଲ୍ଲୀର ୫୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା କାଳ ପରେ ଟେକ୍ନୋଲୋଜୀ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ମୋଦୀଙ୍କ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ ଶିକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ଆଜି ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଧିକ ସମ୍ଭାବନା ସୃଷ୍ଟି କରିବା ପାଇଁ ନୂଆ ନୂଆ ଉପାୟରେ କାମ କରୁଛି। ଟେକ୍ନୋଲୋଜୀର ଆବଶ୍ୟକତା ଓ ଏଥିପ୍ରତି ଭାରତୀୟଙ୍କ ଆସ୍ଥା ଆପଣଙ୍କ ଭବିଷ୍ୟତକୁ ଉଜାଗର କରୁଛି। ସମଗ୍ର ଦେଶରେ ଆପଣଙ୍କ ଲାଗି ଅନେକ ସମ୍ଭାବନା ଓ ଚ୍ୟାଲେଞ୍ଜ ରହିଛି ଯାହାର ସମାଧାନ ଆପଣଙ୍କୁ ହିଁ କରିବାକୁ ପଡ଼ିବ।

ମୋଦୀ ଆହୁରି କହିଛନ୍ତି ଯେ, ପୂର୍ବରୁ ଟେକ୍ ଇଣ୍ଡଷ୍ଟ୍ରୀରେ ଘରୁ କାମ କରିବା ଓ କିମ୍ବା ଯେକୌଣସି ସ୍ଥାନରୁ କାମ କରିବାର ସୁଯୋଗ ମିଳୁନଥିଲା। କିନ୍ତୁ କରୋନା ସେହି ପ୍ରତିବନ୍ଧକୁ ହଟାଇ ଦେଇଛି। ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ ମଧ୍ୟ କୋଭିଡ -୧୯ ଶକ୍ତି ପ୍ରଦାନ କରିଛି।