କୋରାପୁଟ,ଏନ୍ଏନ୍ଏସ୍: ପାଡୁଆ ପୁଲିସ୍ ଏକ ବଲେରୋ ଜିପରୁ ଆଜି ୨୫୦ କିଲୋ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମିଙ୍ଗୁର ଗ୍ରାମର ଗୌର ଗୋପାଳ ପଣ୍ଡା ଓ କୋଟପାଡ଼ି ଗ୍ରାମର ଗିରିଧାରୀ ଦିଶାରୀ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଓଡ଼ିଶା-ଆନ୍ଧ୍ର ସୀମା ପାଡୁଆ ଥାନା ସୁଡୁବ୍ ଗ୍ରାମରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ଜିଲ୍ଲା ପୁଲିସକୁ ମିଳିବା ପରେ ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଓ ପାଡୁଆ ଥାନାଧିକାରୀ ଚାଟୁଆ ଗ୍ରାମ ନିକଟରେ ନାକାବନ୍ଦୀ କରି ଯାନବାହାନ ଯାଞ୍ଚ କରିଥିଲେ। ଅନ୍ୟପଟେ ଗଞ୍ଜେଇ ଥିବା ବଲେରୋ ଦ୍ରୁତ ଗତିରେ ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିଥିଲେ। ବଲେରୋରେ ଗଞ୍ଜେଇ ଥିବା ପୁଲିସ୍ ଯାଞ୍ଚ ବେଳେ ଜାଣି ପାରିଥିଲା। ଗିରଫ ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ୍ ସେମାନଙ୍କୁ କାବୁ କରି ନେଇଥିଲା। ଜବତ ଗଞ୍ଜେଇ କଳାହାଣ୍ଡି ଜିଲ୍ଲାକୁ ନିଆ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।