ନୂଆଦିଲ୍ଲୀ: କରୋନା ସଙ୍କଟରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଏବେ ଏକ ସୁରକ୍ଷିତ ଓ ଫଳପ୍ରଦ ଭ୍ୟାକ୍ସିନ ଖୋଜା ପ୍ରକ୍ରିୟା ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଭାରତର ୩ଟି ଭ୍ୟାକ୍ସିନର ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ ଚାଲିଥିବା ବେଳେ ସଫଳତାରୁ କେବଳ ଟିକେ ପଛରେ ରହିଛି। ଆଇସିଏମଆର ଓ ଏନଆଇଭି ସହ ମିଶି ଭାରତୀୟ ବାୟୋଟିକ ପ୍ରସ୍ତୁତ କରୁଥିବା ‘କୋଭାକ୍ସିନ’ ଭ୍ୟାକ୍ସିନକୁ ନେଇ ଦେଶବାସୀଙ୍କୁ ଖୁବ୍ ଆଶା ରହିଛି। କାରଣ ଏହାର ପ୍ରାରମ୍ଭିକ ପରୀକ୍ଷଣର ପରିଣାମ ବେଶ୍ ଭଲ ରହିଥିବା ଜଣାପଡ଼ିଛି।
ମିଡିଆ ରିପୋର୍ଟ ଅନୁସାରେ, ଭାରତ ବାୟୋଟିକର କୋଭାକ୍ସିନ ଭ୍ୟାକ୍ସିନ ଫେବୃୟାରୀରେ ଆସିପାରେ। ଏହାର ଲଞ୍ଚି ଆଶାତୀତ ସମୟରୁ ଆଗୁଆ ହେବ ବୋଲି ଜଣାପଡ଼ିଛି। ଏନେଇ ନ୍ୟୁଜ ଏଜେନ୍ସି ରିୟୁଟର୍ସ ସରକାରଙ୍କ ସହ ଜଡ଼ିତ ଜଣେ ବୈଜ୍ଞାନିକଙ୍କଠାରୁ ସୂଚନା ହାସଲ କରିଛିି।