ନରସିଂହଙ୍କ ଚିଠିକୁ ନେଇ ଦେଓଗାଁ ବ୍ଲକରେ ରାଜନୀତି ସରଗରମ

ଲକ୍ଷ୍ମଣ ମେହେର କିଏ ?

ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଚାଲିଛି ନେତା ଓ କର୍ମୀଙ୍କ ମଧ୍ୟରେ ବାଦୀପାଲା। ବଲାଙ୍ଗିର ବିଧାୟକ ବିଡ଼ିଓଙ୍କୁ ଦେଇଥିବା ଏକ ଚିଠି କୁ ନେଇ ରାଜନୀତି ସରଗମ ହୋଇଛି। ସୂଚନା ଅନୁସାରେ, ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତର ବରକାନି  ସ୍କୁଲ କୋଠା ନିର୍ମାଣ ପାଇଁ ସଦର ବିଧାୟକ ନରସିଂହ ମିଶ୍ରଙ୍କ ଚିଠି କ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ଦେଓଗାଁ ବ୍ଲକର ଜଣେ ମହିଳା ଜେଇ କୋଠା ପାଇଁ ଲେଆଉଟ୍ ଦେଇଥିଲେ । ନିର୍ମାଣ କାମ ବି ଆରମ୍ଭ ହୋଇଛି। ତେବେ ଜେଇଙ୍କ କହିବା ଅନୁସାରେ, ଲକ୍ଷ୍ମଣ ମେହେର ନାମକ ଜଣେ ବ୍ୟକ୍ତି କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ । ଏ ଲକ୍ଷ୍ମଣ ମେହେର କିଏ ? ସେ କ’ଣ ଜେଇ ଓ ବ୍ଲକର ମୁଖୁଆ ବୋଲି ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର ପ୍ରସ୍ନ କରିଛନ୍ତି। ଏହାସହ ଗତ ମାସ ୩୦ ତାରିଖରେ ଚିଠି ସଂଖ୍ୟା ୬୬୬ ଜରିଆରେ ଦେଓଗାଁ ବ୍ଲକ ବିଡିଓଙ୍କୁ ଉପର ଉଲ୍ଲେଖ ଥିବା ପ୍ରସଙ୍ଗରେ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ଚିଠିକୁ ନେଇ ଦେଓଗାଁ ବ୍ଲକରେ ଝଡ ସୃଷ୍ଟି ହୋଇଛି। ବୁଧବାର ଏବିଡିଓ ଭାବେ ବ୍ଲକରେ ଯୋଗ ଦେଇଥିବା ତଥା ବିଡିଓ ଦାୟିତ୍ୱ ତୁଲାଉଥିବା ରୁଦ୍ରପ୍ରସାଦ ସୁନା ଦାୟିତ୍ୱରେ ଯୋଗଦେବା କ୍ଷଣି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଦିନେ ଗୋଟିଏ ଦଳରେ ରହି ବେଶ ଘନିଷ୍ଠ ହେଇଥିଲେ ସଦର ବିଧାୟକ ନରସିଂହ ମିଶ୍ର ଓ ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ପୂର୍ବ ନିର୍ଦ୍ଦେଶକ ଲକ୍ଷ୍ମଣ ମେହେର । ବର୍ତ୍ତମାନ ଶ୍ରୀ ମେହେରଙ୍କ ସ୍ତ୍ରୀ ରୀନା ମେହେର ଦେଓଗାଁ ବ୍ଲକ ଅଧ୍ୟକ୍ଷା । ଗତ ନିର୍ବାଚନରେ କଂଗ୍ରେସ ଓ ବିଧାୟକ ଶ୍ରୀ ମିଶ୍ରଙ୍କୁ ଛାଡି ବିଜେଡି ମୁହାଁ ହୋଇଥିଲେ ପତି-ପତ୍ନୀ ମେହେର ଦମ୍ପତି) ।