ଜଣକ ଉପରେ ଗୋଟିଏ ଦିନରେ ୨ଥର ଆକ୍ରମଣ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର୍ ପଞ୍ଚାୟତର ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବିକ, ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ(୫୫) କୌଣସି କାମ ପାଇଁ ଟିଟିଲାଗଡ଼କୁ ଆସି ଫେରୁଥିବା ସମୟରେ ବେଲପଡ଼ା ପାଖରେ ମାଲିଝର ଗାଁର କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । କୌଣସିମତେ ସେଠାରୁ ନିଜକୁ ରକ୍ଷା କରି ଦେବସିଙ୍ଗ ଗାଁକୁ ଚାଲି ଆସିଥିଲେ। କିନ୍ତୁ ଗାଁରେ ରାମ ମନ୍ଦିର ପଛପଟେ ପ୍ରାୟ ସଂଧ୍ୟା ୬ଟା ସମୟରେ ଉକ୍ତ ଆକ୍ରମଣକାରୀମାନେ ସଂଘବଦ୍ଧ ଭାବରେ ପୁଣିଥରେ ଦେବସିଙ୍ଗଙ୍କୁ ଆକ୍ରମଣ କରିଥିଲେ । ପାଟିତୁଣ୍ଡ ଶୁଣି ଦେବସିଙ୍ଗଙ୍କ ପତ୍ନୀ ନିର୍ମଳା ମାଝୀ(୫୦) ଉକ୍ତ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ ଆକ୍ରମଣକାରୀ ଉଭୟଙ୍କୁ ରଫା, ଗଇନ୍ତି, ଲୁହ ଛଡ଼ରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିଲେ । ପରିବାରବର୍ଗ ଓ ଗାଁର ଅନ୍ୟ ବ୍ୟକ୍ତିମାନେ ଉକ୍ତ ସ୍ଥାନରେ ପହଞ୍ଚିବାରୁ ଆକ୍ରମଣକାରୀ ସେଠାରୁ ଚାଲିଯାଇଥିଲେ । ଆକ୍ରମଣକାରୀ ଉକ୍ତ ଗ୍ରାମର ଗୋଟିଏ ପରିବାରର ୫ଜଣ ଯଥା, ଭୀଷ୍ମ ମହାକୁଡ଼, ବିନୋଦ ମହାକୁଡ଼, ନିରନ ମହାକୁଡ଼, ସୁର ମହାକୁଡ଼ ଓ କୁଞ୍ଜ ମହାକୁଡ଼ ବୋଲି ଦେବସିଙ୍ଗଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ବର୍ଗ ଓ ଗ୍ରାମବାସୀ ଏକ ଅଟୋ ସାହାଯ୍ୟରେ ଦେବସିଙ୍ଗ ଓ ନିର୍ମଳାକୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ପ୍ରଦୀପ ନାୟକ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସାଧୀନ ଅବସ୍ଥାରେ ରଖିଛନ୍ତି । ଏନେଇ ଟିଟିଲାଗଡ଼ ପୁଲିସ ଷ୍ଟେସନରେ ପରିବାରବର୍ଗ ଏକ ଲିଖିତ ଅଭିଯୋଗ ଦାୟର କରିବା ପରେ ଟିଟିଲାଗଡ଼ ପୁଲିସ ମାଲିଝର ଗାଁକୁ ଯାଇ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।