ସ୍ପେନରେ ୮୦ ପ୍ରତିଶତ କୋଭିଡ୍ ରୋଗୀ ଭିଟାମିନ୍-ଡି ଅଭାବର ଶିକାର

ଲଣ୍ଡନ,ଏଜେନ୍ସି: ସ୍ପେନରେ କୋଭିଡରେ ଆକ୍ରାନ୍ତ ହେଉଥିବା ୮୦ ପ୍ରତିଶତ ଲୋକଙ୍କ ଠାରେ ‘ଭିଟାମିନ୍-ଡି’ର ଅଭାବ ଦେଖାଯାଉଛି। ଭିଟାମିନ୍-ଡି ରକ୍ତରେ କ୍ୟାଲସିୟମର ପରିମାଣକୁ ନିୟନ୍ତ୍ରିତ କରୁଥିବାରୁ ଏହାର ଅଭାବ ଘଟିଲେ ରୋଗ ପ୍ରତିରୋଧକ ବ୍ୟବସ୍ଥା ପ୍ରଭାବିତ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଗବେଷକଙ୍କ ମତରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଭିଟାମିନ୍-ଡି କମ୍ ରହୁଛି। ତେବେ କୋଭିଡ୍ ରୋଗର ଭୟାବହତା ସହ ଭିଟାମିନ୍-ଡିର ଅଭାବର କି ସମ୍ପର୍କ ରହିଛି ତାହା ଗବେଷକମାନେ ସ୍ପଷ୍ଟ କରିନାହାନ୍ତି। କ୍ଲିନିକାଲ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବଲିଜିମ୍ ଜର୍ଣ୍ଣାଲରେ ଏହି ଗବେଷଣାତ୍ମକ ତଥ୍ୟ ପ୍ରକାଶପାଇଛି। ୨୦୦ରୁ ଅଧିକ ରୋଗୀଙ୍କ ଉପରେ ଅନୁଧ୍ୟାନ କରାଯାଇ ଏହି ତଥ୍ୟ ଜଣାପଡିଛି। ସ୍ପେନ୍ର ସାଣ୍ଟାଣ୍ଡେର୍ ସ୍ଥିତ ୟୁନିଭରସିଟି ଅଫ୍ କାଣ୍ଟାବ୍ରିୟାର ପ୍ରଫେସର ଜୋସ୍ ଏଲ ହର୍ଣ୍ଣାଡେଜ୍ କହିଛନ୍ତି, ଏବେ ସ୍ପେନରେ କୋଭିଡ୍ ରୋଗୀମାନଙ୍କର ଭିଟାମିନ୍-ଡି ଉପଚାର ପାଇଁ ସୁପାରିଶ କରାଯାଉଛି।