ଆଫଗାନିସ୍ଥାନ,ଏଜେନ୍ସି: ଆଫଗାନିସ୍ଥାନର ନିମରୋଜ ପ୍ରଦେଶର ଖାଶରୋଡ ଜିଲ୍ଲାରେ ଥିବା ସେନା ଆଉଟପୋଷ୍ଟ ଉପରେ ତାଲିବାନୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଆଫଗାନିସ୍ଥାନର ୨୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସେହିପରି ବେସ୍ କ୍ୟାମ୍ପରେ ଥିବା ଅସ୍ତ୍ରଶସ୍ତ୍ରକୁ ସେମାନେ ଲୁଟ୍ କରିନେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଗତ କିଛିଦିନ ହେଲା ଆଫଗାନିସ୍ଥାନରେ ସେନା ଓ ତାଲିବାନୀ ମଧ୍ୟରେ ଜୋରଦାର ସଙ୍ଘର୍ଷ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଶାମଲା ଅଞ୍ଚଳରେ ପ୍ରଥମେ ତାଲିବାନୀମାନେମାନେ ହିଂସାକାଣ୍ଡ ଘଟାଇଥିଲେ। ଏହାର ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ବିଦ୍ରୋହୀଙ୍କ ସହ ଲଢ଼େଇ କରିଥିଲେ। ସେମାନେ ସ୍ଥିତିକୁ ନିୟନ୍ତ୍ରଣ କରିବା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଆତଙ୍କବାଦୀମାନେ ବେସ୍ ଉପରେ ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଥିଲା। ଏଥିରେ ୨୦ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୧୨ ଜଣ ଆତଙ୍କୀ ନିହତ ହୋଇଛନ୍ତି।