ଏଟିଏମରୁ ବାହାରିଲା ନାଗ

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୋଷ୍ଟ ଅଫିସ୍ ପରିସରସ୍ଥ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ୍ ଏଟିଏମ୍‌ରେ ପଶି ଯାଇଥିବା ଏକ ନାଗସାପକୁ ଗୁରୁବାର ସକାଳେ ବାହାର କରାଯାଇଛି । ଏହାସହିତ ୨ ଦିନ ବନ୍ଦ ରହିବା ପରେ ଏଟିଏମ୍‌ଟି ସ୍ୱାଭାବିକ ଭାବେ କାର୍ଯ୍ୟାରମ୍ଭ କରିଛି । ଗତ ୧୯ ତାରିଖ ରାତିରେ ଏଟିଏମ୍‌ରେ ଏକ ନାଗସାପ ପଶିଯାଇଥିବା ଦେଖାଯାଇଥିଲା । ଖବର ପାଇ ବନ ବିଭାଗ ପକ୍ଷରୁ ସାପକୁ ବାହାର କରିବାକୁ ହୋଇଥିବା ଉଦ୍ୟମ ସଫଳ ହୋଇନଥିଲା । ଫଳରେ ମଙ୍ଗଳବାର ଓ ବୁଧବାର ୨ ଦିନ ଏଟିଏମ୍ କାଉଣ୍ଟରକୁ ବନ୍ଦ ରଖାଯାଇଥିଲା । ଗୁରୁବାର ସକାଳେ ସ୍ନେକ୍ ହେଲ୍ପଲାଇନ୍‌ର ସ୍ୱେଚ୍ଛାସେବୀମାନେ ଏଟିଏମ୍ ମେସିନ୍ ଭିତରୁ ସାପକୁ ବାହାର କରିଥିଲେ । ପରେ ବନବିଭାଗ ପକ୍ଷରୁ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।