ପୋଲିଓ ଟିକା ପ୍ରତିକ୍ରିୟାରେ ଶିଶୁପୁତ୍ର ମୃତ

ଜୟପୁର,ଏନ୍ଏନ୍ଏସ୍: ପୋଲିଓ ଟିକା ପ୍ରତିକ୍ରିୟାରେ ଜଣେ ୪ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍ ସର୍ଗିଗୁଡ଼ା ପଞ୍ଚାୟତର ବଡଦୁବୁଲି ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଅର୍ଜୁନ ଭୂମିଆଙ୍କ ୪ ମାସର ପୁଅକୁ ଗତକାଲି ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ପୋଲିଓ ଟିକା ଦିଆଯାଇଥିଲା। ମହିଳା ସ୍ୱାସ୍ଥ୍ୟ କର୍ମୀ ଲୀନା ସାହୁ ଟିକା ପ୍ରଦାନ କରିଥିଲେ। ଟିକା ନେବାର କିଛି ସମୟ ପରେ ଶିଶୁପୁତ୍ର ପ୍ରବଳ କାନ୍ଦି ଥିଲା। କାନ୍ଦ ବନ୍ଦ ନହେବାରୁ ପରିବାର ଲୋକେ ଶିଶୁକୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ତେବେ ପୋଲିଓ ଟିକା ପ୍ରତିକ୍ରିୟା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ ପ୍ରାୟ ୧୫ ଘଣ୍ଟା ପର୍ଯ୍ୟନ୍ତ ମୃତ ଦେହକୁ ହସ୍ପିଟାଲରେ ପକାଇ ରଖିଥିଲେ। ବୋରିଗୁମ୍ମା ସିଏଚ୍‌ସି ଅଧିକାରୀ ଡ. ରାଜାରାମ ସ୍ୱାଇଁ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ତହସିଲଦାରଙ୍କ ଜରିଆରେ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ। ପରେ ବାପା-ମା ମୃତ ଶିଶୁପୁତ୍ରକୁ ନେଇ ଗ୍ରାମକୁ ଫେରିଥିଲେ।