ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରାମପୁରରେ ହୋଇଥିବା ଡବଲ ମର୍ଡର ଘଟଣାରେ ବାପା, ମା’ଙ୍କୁ ହରାଇ ଅନାଥ ହୋଇପଡିଥିବା ଶିଶୁ ଦ୍ୱୟଙ୍କୁ ଚାଇଲ୍ଡ ଲାଇନ ସହଯୋଗର ହାତ ବଢାଇଛି। ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦୀନି ପାଢୀ ପ୍ରମୁଖଙ୍କ ସହ ସଦସ୍ୟମାନେ ଶିଶୁ ଦ୍ୱୟଙ୍କ ଘରକୁ ଯାଇ ସେମାନଙ୍କୁ ସୁରକ୍ଷିତ ଥଇଥାନ ପାଇଁ ନିଷ୍ପତି ନେଇଥିଲେ।
ଶିଶୁ ଦ୍ୱୟ ଭୟଭୀତ ଥିବାବେଳେ ବର୍ତ୍ତମାନ ନିଜ ବଡବାପଙ୍କ ଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ମା ବାପାଙ୍କ ଅନ୍ତେଷ୍ଟି କ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଶିଶୁମାନଙ୍କୁ ତାଙ୍କ ବଡବାପାଙ୍କ ପାଖରେ ରଖାଯିବାସହ ଅନ୍ତେଷ୍ଟି କ୍ରିୟା ପରେ ଉଭୟଙ୍କୁ ମଙ୍ଗଳ କମିଟି ପାଖରେ ଉପସ୍ଥିତ କରାଯିବା ପାଇଁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶିଶୁ ଦ୍ୱୟଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସେମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବ ବୋଲି ଶ୍ରୀମତି ପାଢୀ କହିଛନ୍ତି।