ବରଗଛ ଡ଼ାଳ ପଡ଼ି କାର୍ଯ୍ୟରତ ସଫେଇ କର୍ମଚାରୀ ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟିର ଜଣେ ସଫେଇ କର୍ମଚାରୀଙ୍କ ମୁଣ୍ଡ ଉପରେ ବରଗଛ ଡାଳ ପଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୁନା ବେହେରା (୩୦)। ମିଳିଥିବା ରିପୋର୍ଟ ମୁତାବକ, କୁନା ପ୍ରତ୍ୟେକ ଦିନ ଭଳି ଆଜି ପୌରପରିଷଦରେ ସଫେଇ କରୁଥିବାବେଳେ ବରଗଛ ଡାଳ ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡ଼ିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁନା ବେହେରାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଦେଇଛି । ପରେ ପୌର ପ୍ରଶାସନ ଡାକ୍ତରଖାନା ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।