ଛଟେଇ ମହିଳା କର୍ମଚାରୀଙ୍କ ଧାରଣା ଜାରି

ନବରଙ୍ଗପୁର,ଏନ୍ଏନ୍ଏସ୍: କୋଭିଡ-୧୯ ନିଯୁକ୍ତିପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଛଟେଇକୁ ପ୍ରତିବାଦ କରି ମଙ୍ଗଳବାର ଦ୍ୱିତୀୟଥର ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସ୍ୱାସ୍ଥ୍ୟକର୍ମୀ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛଟେଇର ପୁନଃନିଯୁକ୍ତି ଦାବିରେ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୧୯୬ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁନଃନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିକୁ ୧୨ଦିନ ବିତିଥିଲେ ମଧ୍ୟ ପୁନଃନିଯୁକ୍ତିର କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି। ଏହା ବିରୋଧରେ ପୁନର୍ବାର ମଙ୍ଗଳବାର ୧୯୬ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଧାରଣାରେ ବସିଛନ୍ତି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏଠାରୁ ଉଠିବେ ନାହିଁ ବୋଲି ମହିଳା ସ୍ୱାସ୍ଥ୍ୟକର୍ମୀ କେ ସୁନିତା ପାତ୍ର, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ଦାମିନୀ ଜଗତ, କାଞ୍ଚନ ମହାହଲଦାର ଓ ବୈଜୟନ୍ତୀମାଳା ନାୟକ ପ୍ରମୁଖ କହିଛନ୍ତି। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦାବିକୁ ସମର୍ଥନ ଜଣାଇ ସମାଜସେବୀ କ୍ଷେମରାଜ ବାଘ, ଆଦିବାସୀ ନେତା ଅଖିଳ ଭତରା, ଯୁବନେତା ସୁମିତ ପୂଜାରୀ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଧାରଣାରେ ବସି ରହିଛନ୍ତି। ଘଟଣାସ୍ଥଳରେ ଏସ୍ପି ନିତିନ କୁଶଲକର ଓ ବରିଷ୍ଠ ଆଇଆଇସି ତାରେକ୍ ଅହମ୍ମଦ ପହଞ୍ôଚ ଧାରଣାସ୍ଥଳରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଝାସୁଝା କରୁଛନ୍ତି।