ମାଲକାନଗିରି,ଏନ୍ଏନ୍ଏସ୍: ଜଣେ ଗ୍ରାମବାସୀଙ୍କ ହତ୍ୟାକୁ ନେଇ ମାଓ ସଂଗଠନ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଜଣେ ମାଓ କମାଣ୍ଡରଙ୍କ ଆଦେଶ ଜଣେ ମାଓ ସଦସ୍ୟ ନ ମାନିବାରୁ ତାଙ୍କୁ ହତ୍ୟା କରାଯାଇଛି । ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଗତକାଲି ଚିତାବର ଜଙ୍ଗଲରେ ଗଙ୍ଗାଲୁର ଏରିଆ କମିଟିର ସଚିବ ଦିନେଶ ମୋଡ଼ିୟମ ଓ ବିଜାପୁର ଓ ଗଙ୍ଗାଲୁର ଏରିଆ କମିଟି ଡିଭିସି ମୋଡ଼ିୟମ ବିଜ୍ଜାଙ୍କ ମଧ୍ୟରେ ଜଣେ ଗ୍ରାମବାସୀଙ୍କ ହତ୍ୟାକୁ ନେଇ ମତାନ୍ତର ସୃଷ୍ଟି ହୋଇଥିଲା ।
ମାଓ କମାଣ୍ଡର ଦିନେଶର ଆଦେଶ ନ ମାନିବାରୁ ବିଜ୍ଜାକୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । ପରେ ତାଙ୍କ ନିଜ ଗ୍ରାମ ମନକେଲୀକୁ ନେଇ ତାଙ୍କ ପରିବାରବର୍ଗଙ୍କୁ ଶବକୁ ହସ୍ତାନ୍ତର କରାଯାଇଛି । ବିଜ୍ଜାଙ୍କ ନାମରେ ରାଜ୍ୟ ସରକାରଙ୍କ ଦ୍ୱାରା ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ଜଣାପଡ଼ିଛି । ଦକ୍ଷିିଣ ବସ୍ତରର ଅନ୍ୟ ଅଞ୍ଚଳରେ ନିରୀହ ଆଦିବାସୀଙ୍କୁ ହତ୍ୟା ଘଟଣାକୁ ନେଇ ମାଓ କ୍ୟାଡରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବାରେ ଲାଗିଛି ବୋଲି ବସ୍ତର ରେଞ୍ଜର ପୁଲିସ ଆଇଜି ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି । ହିଂସାର ରାସ୍ତା ଆପଣେଇ ଥିବା ମାଓବାଦୀ ସଂଗଠନର ବିଲୁପ୍ତ ହେବା ଆରମ୍ଭ ହେଲାଣି ବୋଲି ଆଇଜି ପ୍ରକାଶ କରିଛନ୍ତି ।