ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଥିବା ଡେପୁଟି କଲେକ୍ଟର ଶରତ ବାଗଙ୍କ ବିରୋଧରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ଝାରସୁଗୁଡ଼ା ପୁଲିସ ତାଙ୍କୁ ଗିରଫ କରିଛି। ଶରତଙ୍କୁ ଘରୋଇ ହିଂସା ଆଧାରରେ ଗିରଫ କରାଯାଇଥିଵା ନେଇ ଝାରସୁଗୁଡ଼ା ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି। ଗତ ୨୭ ତାରିଖ ବିଟିଏମ ଫାଣ୍ଡିରେ ଶରତଙ୍କ ପତ୍ନୀ ଡାଲିଆ ଦେବନାଥ ତାଙ୍କ ବିରୋଧରେ ନିର୍ଯ୍ୟାତନାର ଲିଖିତ ଅଭିଯୋଗ କରିଥିଲେ । ଶରତଙ୍କର ଅନ୍ୟ ଏକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ୨୬ ତାରିଖ ଅପରାହ୍ଣରେ ସ୍ୱାମୀ ଶରତ କୁମାର ବାଗ, ଭାଇ ସୁରେଶ କୁମାର ବାଗ, ସ୍ୱାମୀଙ୍କ ବନ୍ଧୁ ଅଞ୍ଜଳି ବାଗ ଓ ମନୋଜ ବିଶି ଏକ ଗାଡ଼ିରେ କୁଆଡେ ଯାଉଥିବା ଡାଲିଆ ଖବର ପାଇଥିଲେ। ଫଳରେ ଡାଲିଆ ସେମାନଙ୍କ ପିଛା କରିଥିଲେ। ଶରତ ଓ ତାଙ୍କ ସାଙ୍ଗମାନେ ମଦ ଓ ଖାଇବା ସାମଗ୍ରୀ ନେଇ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ଥିବା ଏକ ଘରକୁ ଯାଇଥିଲେ। ସେଠାରେ ସେମାନେ ମଦ୍ୟପାନ କରୁଥିବା ସମୟରେ ଡାଲିଆ ହଠାତ୍ ଘର ଭିତରକୁ ପଶିବା ପରେ ସ୍ୱାମୀ ଶରତ, ଅଞ୍ଜଳି, ସୁରେଶ ଓ ମନୋଜ ତାଙ୍କୁ ଲୁହା ରଡରେ ପିଟିଥିଲେ। ଏପରିକି ଅଞ୍ଜଳି ଏକ ବନ୍ଧୁକ ବାହାର କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କୌଶଳକ୍ରମେ ଡାଲିଆ ସେଠାରୁ ଖସି ଆସି ବିଟିଏମ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଡାଲିଆଙ୍କ ଅଭିଯୋଗକୁ ଭିତ୍ତି କରି ଯୋଗୀଡିଜି ପାଖରୁ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ପୁଲିସ ଗିରଫ କରିଛି।