ଆମେରିକାରେ ବ୍ୟାନ୍ ହେବ ନାହିଁ ଟିକ୍‌-ଟକ୍‌

ନୂଆଦିଲ୍ଲୀ,ଏଜେନ୍ସି: ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍‌-ଟକ୍ ଏବେ ଆମେରିକାରେ ନିଷେଧ ହେବ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍‌-ଟକ୍ କମ୍ପାନୀ ଆମେରିକାର ଫେଡେରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ ରୋକ୍ ଲଗାଇଛନ୍ତି। ଆମେରିକାରେ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ଟିକ୍‌-ଟକ୍ ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଥିବା ୪ ଘଣ୍ଟା ପୂର୍ବରୁ ରାୟ ଶୁଣାଇଥିଲେ ଅଦାଲତ। ଆମେରିକାରେ ଡାଟା ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରି ରାଷ୍ଟ୍ରପତି ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲେ।

ଏହା ପରେ ଆମେରିକାର ଅନେକ କମ୍ପାନୀ ଟିକ୍‌-ଟକ୍ କିଣିବା ପାଇଁ ଆଗେଇ ଆସିଥିଲେ। ସମୟ ସୀମା ମଧ୍ୟରେ ଟିକ୍‌-ଟକ୍‌କୁ କିଣାନଗଲେ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ଆମେରିକା ସରକାର। ସେପ୍ଟେମ୍ବର ୨୮ରେ ଆମେରିକା ସରକାରଙ୍କ ସମୟ ଅବଧି ଶେଷ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ପ୍ରତିବନ୍ଧକ ଉପରେ ରୋକ୍ ଲଗାଇଛନ୍ତି ଫେଡେରାଲ୍ କୋର୍ଟ। କୋର୍ଟ ରାୟ ଶୁଣାଇବା ପରେ ଆମେରିକାରେ ଏବେ ପୂର୍ବ ପରି ଟିକ୍‌-ଟକ୍ ଚାଲୁ ରହିବ ବୋଲି ଜଣାପଡିଛି। ସୋମବାର ରାଷ୍ଟ୍ରପତି ଦେଇଥିବା ଅବଧି ଶେଷ ହେଉଥିବା ବେଳେ କୋର୍ଟର ନିଷ୍ପତ୍ତି ପରେ ଏବେ ଆମେରିକାରେ ଲୋକେ ଟିକ୍‌-ଟକ୍ ଡାଉନ୍‌ଲୋଡ୍ କରି ବ୍ୟବହାର କରିପାରିବେ।

ଶୁଣାଣି ସମୟରେ ଫେଡେରାଲ କୋର୍ଟର ଜଜ୍ କହିଥିଲେ ଯେ, ଯେତେବେଳେ ଆପ୍‌କୁ କିଣିବା ପାଇଁ କମ୍ପାନୀମାନେ ଆଲୋଚନା କରୁଛନ୍ତି, ସେ ସମୟରେ କେମିତି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ? କୋର୍ଟରେ ପ୍ରାୟ ତିନିଘଣ୍ଟା ଧରି ବିତର୍କ ଚାଲିବା ପରେ ଶେଷରେ ଆପ୍ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ ବୋଲି ବିଚାରପତି ରାୟ ଶୁଣାଇଥିଲେ।