ୱାଶିଂଟନ୍,ଏଜେନ୍ସି: ବିଗତ ୧୫ ବର୍ଷ ଭିତରେ ୧୦ ବର୍ଷ ଧରି ଟିକସ ପଇଠ କରିନାହାନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାର ସ୍ପଷ୍ଟୀକରଣରେ ସେ ଆୟ ପରିବର୍ତ୍ତେ କ୍ଷତିର ପରିମାଣକୁ ଯଥେଷ୍ଟ ଅଧିକ ଭାବେ ଦର୍ଶାଇଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଆୟକର ରିଟର୍ଣ୍ଣକୁ ସାର୍ବଜନୀନ କରିନାହାନ୍ତି। ‘ଦି ନ୍ୟୁୟର୍କ ଟାଇମ୍ସ’ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଟିକସ ଚୋରି ଘଟଣାର ପର୍ଦ୍ଦାଫାସ କରିଛି। ରିପୋର୍ଟ ଅନୁସାରେ ୨୦୧୬ରେ ଟ୍ରମ୍ପ ହ୍ୱାଇଟ୍ହାଉସ୍ରେ ପ୍ରବେଶ କରିବା ପରେ ଆର୍ଥିକ ବର୍ଷ ୨୦୧୬-୧୭ ପାଇଁ ୭୫୦ ଡଲାର (ପ୍ରାୟ ୫୫ ହଜାର ଟଙ୍କା) ଟିକସ ପଇଠ କରିଥିଲେ।
ଚଳିତ ବର୍ଷ ତାଙ୍କ ସଂସ୍ଥା ଭାରତରେ ଟିକସ ବାବଦକୁ ୧, ୪୫, ୪୦୦ ଡଲାର (ପ୍ରାୟ ୧.୦୭ କୋଟି ଟଙ୍କା) ଦାଖଲ କରିଥିଲା। ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହେବାପରେ ତାଙ୍କର ଟିକସ ଚୋରି ବିଷୟ ପଦାରେ ପଡ଼ିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟକୁ ଟ୍ରମ୍ପ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ପକ୍ଷେ ବ୍ୟକ୍ତିଗତ ଆୟ ସମ୍ପର୍କିତ ବିବରଣୀ ଦାଖଲ ବାଧ୍ୟତାମୂଳକ କରାଯାଇନି। ମାତ୍ର ରିଚାର୍ଡ ନିକ୍ସନ୍ (୧୯୬୯-୭୪)ଙ୍କଠାରୁ ବାରାକ୍ ଓବାମା (୨୦୦୮-୧୬) ପର୍ଯ୍ୟନ୍ତ ରାଷ୍ଟ୍ରପତିଗଣ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ଓ ଆୟ ସମ୍ପର୍କରେ ରିପୋର୍ଟ ଦାଖଲ କରିଛନ୍ତି। ଟ୍ରମ୍ପ ଆୟକର ରିଟର୍ଣ୍ଣ ନକରି ଉକ୍ତ ପରମ୍ପରାକୁ ଭଙ୍ଗ କରିଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଟିକସ ଫାଙ୍କି ବିଷୟ ମୁଖ୍ୟ ପ୍ରସଙ୍ଗ ଥିଲା। ଟ୍ରମ୍ପଙ୍କ ଆୟ-ବ୍ୟୟ ବିବରଣୀ ଆମେରିକାବାସୀଙ୍କ ପାଇଁ ଗୋଟିଏ ରହସ୍ୟ ହୋଇରହିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରମ୍ପରା ଅନୁସାରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ହେବାକୁ ଥିବା ମୁକ୍ତ ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଟିକସ ଫାଙ୍କି ବିଷୟ ପ୍ରକାଶ କରିଛି ନ୍ୟୁୟର୍କ ଟାଇମ୍ସ। ମଙ୍ଗଳବାର ଓହିଓରେ ପ୍ରଥମ ମୁକ୍ତ ଆଲୋଚନା ହେବ। ଅକ୍ଟୋବର ୧୫ରେ ଦ୍ୱିତୀୟ ମୁକ୍ତ ଆଲୋଚନା ହେବ। ଅକ୍ଟୋବର ୨୨ରେ ତୃତୀୟ ମୁକ୍ତ ଆଲୋଚନା ଅନୁଷ୍ଠିତ ହେବ। ଡେମୋକ୍ରାଟିକ ପ୍ରତ୍ୟାଶୀ ଜୋଏ ବିଡେନ୍ ଟ୍ରମ୍ପଙ୍କ ଟିକସ ଫାଙ୍କି ବିଷୟକୁ ପ୍ରଧାନ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି।