ଓଡ଼ିଶାରେ ଡିଜିଟାଲ୍ ସେବା କ୍ଷେତ୍ରରେ ସର୍ବାଗ୍ରେ ଜିଓ, ୬ ମାସରେ ଯୋଡିଛି ୧୨ ଲକ୍ଷ ନୂତନ ଗ୍ରାହକ

ମୁମ୍ବାଇ,ଏଜେନ୍ସି: ଓଡ଼ିଶାରେ ଡିଜିଟାଲ ସେବା ପ୍ରଦାନ କ୍ଷେତ୍ରରେ ରିଲାଏନ୍ସ ଜିଓ ସବୁଠୁ ଆଗରେ ରହିବା ସହିତ ଚଳିତ ବର୍ଷର ପ୍ରଥମ ଛଅମାସରେ ପ୍ରାୟ ୧୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ପ୍ରାୟ ୬ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି। ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନଏଲ୍ ଏକମାତ୍ର ସେବା ଯୋଗାଣକାରୀ ସଂସ୍ଥା ଭାବେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଥିବା କୁହାଯାଇଛି।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି। ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି। ଏହି ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଛି। ତେବେ ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୬୧,୬୯୩ ହ୍ରାସ ପାଇଥିବା ଟ୍ରାଇ ପକ୍ଷରୁ କୁହାଯାଇଛି।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ ଲକ୍ଷ ନୂଆ ଗ୍ରାହକ ଯୋଗ କରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଛି। କିନ୍ତୁ ଜାତୀୟସ୍ତରରେ ଭୋଡାଫୋନ ଆଇଡିଆ ଏହି ସମୟରେ ୪୮ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ବେଳେ ବିଏସ୍‌ଏନଏଲ୍ ୧୭ ଲକ୍ଷରୁ ଅଧିକ ଏବଂ ଭାରତୀ ଏୟାରଟେଲ ୧୧ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଅପହଞ୍ଚ ଅଞ୍ଚଳଗୁଡିକରେ ନେଟୱର୍କ ସଂଯୋଗ ସହିତ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟର ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଯୋଜନା ଜାରି ରଖିଥିବା ବେଳେ ଓଡ଼ିଶା ଏବଂ ସମଗ୍ର ଦେଶରେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି। ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି।

ନିକଟରେ ଜିଓ ପକ୍ଷରୁ ଜିଓ ପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା ବେଳେ ଏଥିରେ ସଂଯୋଗ ବ୍ୟବସ୍ଥା, ପ୍ରିମିୟମ ମନୋରଞ୍ଜନ କାର୍ଯ୍ୟକ୍ରମ, ସୁଲଭ ମୂଲ୍ୟରେ ଆନ୍ତର୍ଜାତିକ ରୋମିଂ ଆଦିକୁ ନେଇ ଯେଉଁସବୁ ସୁବିଧା ଯୋଗାଇ ଦିଆଯାଇଛି ତାହା ଗ୍ରାହକମାନଙ୍କୁ ଆହୁରି ଆକୃଷ୍ଟ କରିପାରିବ ବୋଲି କମ୍ପାନୀ ଆଶା ପୋଷଣ କରିଛି।