ଆରପାରିରେ ବଲିଉଡର ସୁପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମ୍

ନୂଆଦିଲ୍ଲୀ: ବଲିଉଡର ସୁପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମ୍ ଆଉ ନାହାନ୍ତି। ସୁବ୍ରମଣ୍ୟମ୍ କରୋନାରେ ସଂକ୍ରମିତ ହେବାପରେ ଅଗଷ୍ଟ ୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ନେଇ ଗତକାଲି ବୟାନ ଜାରି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ସୁବ୍ରମଣ୍ୟମ୍ ହିନ୍ଦୀ ସଙ୍ଗୀତ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ୧୯୮୯ରେ ‘ମେନେ ପ୍ୟାର କିୟା’ ଫିଲ୍ମର ସମସ୍ତ ଗୀତ ଗାଇଥିଲେ ଯାହାକି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏହାପରେ ସୁବ୍ରମଣ୍ୟମ୍ ଅନେକ ନାୟକଙ୍କ ପାଇଁ ଗୀତ ଗାଇଥିଲେ। ସେ ପାଖାପାଖି ୧୬ଟି ଭାଷାରେ ୪୦ ହଜାରରୁ ଉର୍ଦ୍ଧ ଗୀତ ଗାଇଥିଲେ। ସୁବ୍ରମଣ୍ୟମ୍ ଭାରତ ସରକାରଙ୍କ ପକ୍ଷରୁ ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।