ଗାଡ଼ିରେ ନେସ୍କୋ ୟୁଟିଲିଟିର ଷ୍ଟିକର ଲଗାଇ କାଠ ଚୋରା ଚାଲାଣ ଉଦ୍ୟମ, ବୋଲେରୋ ସହ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ ଜିଲ୍ଲା By Nitidin On Sep 24, 2020 Share ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଚୋରା କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ବିଭିନ୍ନ ଉପାୟରେ ଜିଲ୍ଲା ସହ ବାହାର ଜିଲ୍ଲା ଓ ରାଜ୍ୟକୁ ମାଫିଆମାନେ କାଠର ଚୋରା ଚାଲାଣ ଚଳାଇ ଆସୁଛନ୍ତି। ଦେଖିଲେ କେହି ହଠାତ୍ ସନ୍ଦେହ କରିପାରିବେ ନାହିଁ। ଏକ ବୋଲେରୋ ଗାଡ଼ି ସରକାରୀ ଡିଉଟିରେ ଯାଉଥିବାର ଷ୍ଟିକର ଲଗାଇ ମୂଲ୍ୟବାନ କାଠ ଚୋରା ଚାଲାଣ ଉଦ୍ୟମ କରାଯାଇଥିଲା। ଏହିଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଧୀନ ନାକୁଡ଼ା ଗ୍ରାମ ନିକଟରେ ଦେଖିବାକୁ ମିଳିଛି। ବନବିଭାଗ ହାତରେ ଧରାପଡ଼ିଛି ଏକ ସାଇଜର ମୂଲ୍ୟବାନ କାଠ ବୋଝେଇ ହୋଇ ନେସ୍କୋ ୟୁଟିଲିଟିର ଷ୍ଟିକର ଲଗାଇ ଯାଉଥିବା ବୋଲେରୋ ଗାଡ଼ି। ତେବେ କୌଣସି ସୂତ୍ରରୁ ଖବର ପାଇ ସରକାରୀ ଷ୍ଟିକର ଲଗାଯାଇଥିବା ଏହି ଚୋରା କାଠ ବୋଝେଇ ଗାଡ଼ିକୁ ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଓ ତାଙ୍କ ଟିମ ଜବତ କରିବାରେ ସଫଳ ହୋଇଥିବା ସମୟରେ ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେହିପରି ଗତ କାଲି ଏକ ବେଆଇନ ଟ୍ରକର ବଡ଼ି ନିର୍ମାଣ କାରଖାନା ଉପରେ କରଞ୍ଜିଆ ବନଖଣ୍ଟର ଏକ ସ୍ୱତନ୍ତ୍ର ଟିମ ଚଢ଼ଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ ଭାବେ ଗଚ୍ଛିତ ଥିବା ଚୋରା କାଠକୁ ଜବତ କରିଥିବା ସମୟରେ ମାଲିକ ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ରାତିରେ ମ୍ୟାନେଜର ଗୁଡ଼ୁ ଶର୍ମାକୁ ଧରିବାରେ ବନ କର୍ମଚାରୀମାନେ ସଫଳ ହୋଇଥିବାର ଜଣାପଡ଼ିଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଚଢ଼ଉ କରି ଗାଡ଼ି ଓ କାଠ ଜବତ କରୁଥିବା ବେଳେ ଗାଡ଼ିର ଚାଳକକୁ ଧରିବାରେ ବିଫଳ ହେଉଥିବାର ପରିଲକ୍ଷିତ ହୋଇଛି। Share