ବେକରେ ରସି ଲଗେଇ ଯୁବକର ଆତ୍ମହତ୍ୟା

ଚନ୍ଦାହାଣ୍ଡି,ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରା ପଞ୍ଚାୟତର ଆମ୍ବଗୁଡା ଗ୍ରାମର ସହଦେଵ ମାଝୀ(୨୫) ନାମକ ଜଣେ ଯୁବକ ଏକ ବଗୁଲ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକର ବଡ଼ ଭାଇ ଠେଲ ସିଂ ମାଝୀ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ଚନ୍ଦାହାଣ୍ଡି ଥାନା ୟୁଡି କେସ ନମ୍ବର-୧୬/୨୦ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସଆଇ ସମୀର କୁମାର ପ୍ରଧାନଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିବା ସେ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ ଆମ୍ବଗୁଡା ଗ୍ରାମର ଯୁବକ ସହଦେବ ମାଝୀ ରାତିରେ ପରିବାରରେ ଖାଇପିଇ ସାରି ଶୋଇବା ପାଇଁ ଯାଇଥିଲେ। ସକାଳୁ ଉଠି ଶୌଚ ହେବା ପାଇଁ ଘର ଠାରୁ କିଛି ଦୂର କେନାଲ ପାଖକୁ ଯାଇ ଦୀର୍ଘ ସମୟ ପର୍ୟ୍ୟନ୍ତ ଘରକୁ ଫେରି ନଥିଲେ। ଗ୍ରାମର କିଛି ଲୋକ ସହଦେବଙ୍କୁ ଏକ ବଗୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥାନାକୁ ଖବର ଦେଇଥିଲେ। ପରେ ଏସଆଇ ସମୀର କୁମାର ପ୍ରଧାନ ଓ କନେଷ୍ଟବଳ ଗଣେଶ ମାଝୀ ସେଠାକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡ. ପ୍ରଶାନ୍ତ ଦାସଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତ ଅଧିକାରୀ ସମୀର ପ୍ରଧାନ ପ୍ରକାଶ କରିଛନ୍ତି। ସେହିପରି ଏହାର ତଦନ୍ତ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି।