ବାଲିମେଳା ସହରରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଧୀନସ୍ଥ ୯ନଂ ୱାର୍ଡର ଧନପୁରିୟା ସାହିର ଜଣଙ୍କ ଘରୁ ଆଜି ପୁଣି ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ବାଡ଼ିରେ ବୁଲୁଥିବା ବେଳେ ଘର ମାଲିକ ଓ ସ୍ଥାନୀୟ ଲୋକମାନେ ଦେଖି ବାଲିମେଳା ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ତୁରନ୍ତ ବାଲିମେଳା ରେଞ୍ଜର ସୁଶାନ୍ତ କୁମାର ଦଳାଇଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଶିବାନନ୍ଦ ଲେଙ୍କା ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି । ଉଦ୍ଧାର ହୋଇଥିବା ସାପଟି ପ୍ରାୟ ୧୨ ଫୁଟ ଲମ୍ବା ଓ ଓଜନ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ ହେବ ବୋଲି ଫରେଷ୍ଟର ଶିବାନନ୍ଦ ଲେଙ୍କା ସୂଚନା ଦେଇଛନ୍ତି ।