ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨୦୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୯୩ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୧୨ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୨୮ଜଣ, ଝାରସୁଗୁଡ଼ା ବ୍ଲକରୁ ୨୩ଜଣ ଓ ଲଖନପୁର ବ୍ଲକ ଅଞ୍ଚଳରୁ ୪୯ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୩୬ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୬୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧,୧୧୦ ଜଣଙ୍କ ଚିକିତ୍ସା ଜାରି ରହିଛି।
ପ୍ରକାଶଯୋଗ୍ୟ ଯେ, ଝାରସୁଗୁଡ଼ା ସହରରେ ଦିନକୁଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଝାରସୁଗୁଡ଼ା ପୌରାଞ୍ଚଳରେ ଗତ ୨୪ ଘଣ୍ଟାରେ ୯୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପଜିଟିଭ ଚିହ୍ନଟ ହେଉଥିବା ଅଞ୍ଚଳକୁ ବାଡ଼ ଲାଗାଇ ସିଲ କରିବା ସହ ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଉଛି। ବର୍ତ୍ତମାନ ସହରର ସରବାହାଲ, ବେହେରାମାଲ, ପୁରୁଣାବସ୍ତି, ଏକତାଲି ପରି ଅଧିକାଂଶ ଅଞ୍ଚଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ବେଳେ କରୋନାକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।