ବେଙ୍ଗାଲୁରୁ,ଏଜେନ୍ସି : ୨୦୨୦ ଅଗଷ୍ଟ ୧୧ ତାରିଖରେ ବେଙ୍ଗାଲୁରୁର ଡିଜେ ହାଲ୍ଲୀ ଓ କେଜି ହାଲ୍ଲୀରେ ଘଟିଥିବା ଦୁଇଟି ଦଙ୍ଗାର ତଦନ୍ତ ଦାୟିତ୍ୱ କ୍ରମେ ଏନ୍ଆଇଏ ହାତକୁ ଚାଲିଯାଇଛି। ଜନୈକ ଆଇଜି ର୍ୟାଙ୍କ୍ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏନ୍ଆଇଏ ଟିମ ବେଙ୍ଗାଲୁରୁ ପହଞ୍ଚି ଦୁଇଟି ମାମଲାର ତଦନ୍ତ କରିବ। କଂଗ୍ରେସ ବିଧାୟକ ନବୀନ ଶ୍ରୀନିବାସ ମୂର୍ତ୍ତିଙ୍କ ଘର ଆଗରେ ଚାଲିଥିବା ଦଙ୍ଗାରେ ପ୍ରାୟ ହଜାରେ ଲୋକ ସାମିଲ ହୋଇଥିଲେ। ଅଗଷ୍ଟ ୧୧ ତାରିଖରେ ଅଭିଯୁକ୍ତ ବିଧାୟକଙ୍କ ସମ୍ପର୍କୀୟ ସୋସିଆଲ୍ ମିଡିଆରେ ପ୍ରଫେଟ୍ ମହମ୍ମଦଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାରୁ ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ ଘଟିଥିଲା। ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲ୍ଲୀ, କେଜି ହାଲ୍ଲୀ ଓ ପୁଲକେଶୀ ନଗର ଅଞ୍ଚଳରେ ଦୁଇଟି ପୁଲିସ୍ ଷ୍ଟେସନ୍ ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। କ୍ଷୁବ୍ଧ ଲୋକମାନେ ବିଧାୟକଙ୍କ ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେବା ସହିତ ନିଆଁ ଲଗାଇ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିବାର ଏଫ୍ଆଇଆର୍ ସୂତ୍ରରୁ ପ୍ରକାଶ।